Categories: ଜାତୀୟ

ସ୍କୁଲ, ସିନେମା ହଲ୍‌ ବନ୍ଦ

ନୂଆଦିଲ୍ଲୀ, ୨୮ା୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ୟେଲୋ ଆଲର୍ଟ ଜାରି କରିଛନ୍ତି। ଏହି ଆଲର୍ଟ ଅନୁସାରେ ଦିଲ୍ଲୀରେ ସମସ୍ତ ସ୍କୁଲ, କଲେଜ, ସିନମୋ ହଲ୍‌, ଜିମ୍‌ ସେଣ୍ଟର ଆଦି ବନ୍ଦ ରହିବ।

ସେହିପରି ଅତ୍ୟାବଶ୍ୟକ ଦୋକାନଗୁଡ଼ିକୁ ଛାଡ଼ି ଅନ୍ୟ ଦୋକାନବଜାର ଯୁଗ୍ମ-ଅଯୁଗ୍ମ ଆଧାରରେ ସକାଳ ୧୦ଟାରୁ ସନ୍ଧ୍ୟା ୮ଟା ଯାଏ ଖୋଲିବ। ମେଟ୍ରୋ ଟ୍ରେନ୍‌, ବସ୍‌ଗୁଡ଼ିକରେ ୫୦ ପ୍ରତିଶତ ଯାତ୍ରୀ ଯିବାଆସିବା କରିପାରିବେ। ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ଜରୁରିକାଳୀନ ଅଫିସ୍‌ଗୁଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ଘରୋଇ କାର୍ଯ୍ୟାଳୟଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀ କାମ କରିବେ। ବିବାହ, ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟକ୍ରମରେ ୨୦ ଜଣରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ। ସେହିପରି ରେଷ୍ଟୁରାଣ୍ଟ, ବାର ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି କୁହାଯାଇଛି। ଗତ ୬ ମାସ ମଧ୍ୟରେ ସୋମବାର ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୩୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ କେବଳ ଓମିକ୍ରନ୍‌ ସଂକ୍ରମଣ ୧୬୫କୁ ବୃଦ୍ଧି ପାଇଛି।

Share