Categories: ଜାତୀୟ

ସରିଲା ଏମ୍‌ସିଡି ନିର୍ବାଚନ: ୭ରେ ଫଳାଫଳ

ନୂଆଦିଲ୍ଲୀ,୪।୧୨ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ ରବିବାର ଶେଷ ହୋଇଛି। ରବିବାର ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ପ୍ରାୟ ୫୦ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ୭ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।
ଦିଲ୍ଲୀର ୨୫୦ ଓ୍ବାର୍ଡ ଲାଗି ୧,୩୪୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ୧.୪୫ କୋଟିରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ପାଇଁ ୧୩,୬୩୮ଟି ଭୋଟକେନ୍ଦ୍ର କରାଯାଇଥିବାବେଳେ ସେଥିରୁ ୩,୩୬୦ ଜଟିଳ ଏବଂ ୪୯୩ଟି ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ତେବେ ଭୋଟ ବେଳେ କୌଣସି ଅପ୍ରୀତିକର ସ୍ଥିତି ଉପୁଜିଥିବାର ଖବର ମିଳିନାହିଁ। ଏଠାରେ ମୁଖ୍ୟତଃ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଭାଜପା ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। କେତେକ ବୁଥ୍‌ରେ ଭୋଟର ତାଲିକାରେ ନାଁ ନ ଥିବାରୁ ଅନେକ ଲୋକ ଭୋଟ ଦେଇ ନ ପାରି ଫେରିଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ କେତେଜଣଙ୍କୁ ଏକାଧିକ ଥର ଭିନ୍ନ ଭିନ୍ନ ଭୋଟ କେନ୍ଦ୍ରକୁ ଯିବାକୁ କୁହାଯାଇଥିଲା। ଏମ୍‌ସିଡିର ତିନୋଟି ଡିଭିଜନର ମିଶ୍ରଣ ପରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟରେ ଭାଜପା କ୍ଷମତାରେ ନ ଥିଲେ ମଧ୍ୟ ୧୫ ବର୍ଷ ହେଲା ଏମ୍‌ସିଡିକୁ ଅକ୍ତିଆର କରିଆସିଛି। ଏଥର ନିର୍ବାଚନରେ ଭାଜପା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ କେତେଜଣ ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିଲେ।

Share