Categories: ଜାତୀୟ

ସୁପ୍ରିମକୋର୍ଟରେ ଏଏପିର ବଡ଼ ବିଜୟ

ନୂଆଦିଲ୍ଲୀ,୧୮ା୨: ମେୟର ନିର୍ବାଚନରେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ରାୟ ଭାଜପାକୁ ଶକ୍ତ ଝଟକା ଦେଇଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପାଇଁ ବଡ଼ ବିଜୟ ସାବ୍ୟସ୍ତ ହୋଇଛି।
ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ଜେ.ବି. ପର୍ଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ ମେୟର ନିର୍ବାଚନ ଏମ୍‌ସିଡିର ପ୍ରଥମ ବୈଠକରେ ହେବ। ମେୟର ନିର୍ବାଚିତ ହେବା ପରେ ସେ ଡେପୁଟି ମେୟରର ନିର୍ବାଚନ କରାଇବେ। ଆମେ ଉଭୟ ପକ୍ଷଙ୍କ ଓକିଲଙ୍କ ଯୁକ୍ତି ଶୁଣିଛୁ। ମ୍ୟୁନିସିପାଲ କର୍ପୋରେଶନ୍‌ ପକ୍ଷରୁ ବଢ଼ାଯାଇଥିବା ଯୁକ୍ତିକୁ ଆମେ ଗ୍ରହଣ କରିପାରିବୁ ନାହିଁ। ମନୋନୀତ ସଦସ୍ୟମାନଙ୍କ ମତଦାନ ଅଧିକାର ନାହିଁ ବୋଲି ସାମ୍ବିଧାନିକ କଟକଣା ରହିଛି। ପ୍ରଥମ ବୈଠକରେ ହିଁ ଏହି ବାରଣ ଲାଗୁ ହେବ। ମେୟର ନିର୍ବାଚନ ଏବଂ ଏମ୍‌ସିଡିର ପ୍ରଥମ ବୈଠକ ପାଇଁ ୨୪ ଘଣ୍ଟା ମଧ୍ୟରେ ନୋଟିସ ଜାରି କରାଯିବ। କେତେ ତାରିଖରେ ମେୟର, ଡେପୁଟି ମେୟର କିମ୍ବା ଷ୍ଟାଣ୍ଡିଂ କମିଟି ସଦସ୍ୟମାନଙ୍କ ନିର୍ବାଚନ ହେବ ତାହା ଉକ୍ତ ନୋଟିସରେ ଉଲ୍ଲେଖ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରକାଶ ଯେ, ଦିଲ୍ଲୀର ଶାସକ ଏଏପି ପକ୍ଷରୁ ମେୟର ପ୍ରାର୍ଥୀ ହୋଇଥିବା ଶେଲି ଓବରୟ ଶୀଘ୍ର ନିର୍ବାଚନ କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୮ ତାରିଖରେ ସର୍ବୋଚ୍ଚ ଅଦାଲତ ଉପରାଜ୍ୟପାଳଙ୍କ ଅଫିସ, ଏମ୍‌ସିଡି ପ୍ରୋଟେମ୍‌ ପ୍ରିଜାଇଡିଂ ଅଫିସର ସତ୍ୟ ଶର୍ମା ଓ ଅନ୍ୟମାନଙ୍କୁ ଓବରୟଙ୍କ ଆବେଦନ ଉପରେ ଜବାବ ମାଗିଥିଲେ।

Share