Categories: ଜାତୀୟ

କୋର୍ଟରେ ଚିତ୍କାର କଲେ ‘ତାରିଖ ପେ ତାରିଖ’

ନୂଆଦିଲ୍ଲୀ,୨୧।୭: ନ୍ୟାୟ ପାଇବାରେ ବିଳମ୍ବ ହେବାରୁ ଜଜ୍‌ଙ୍କ ଆଗରେ ‘ତାରିଖ ପେ ତାରିଖ’ (ତାରିଖ ପରେ ତାରିଖ) ଚିତ୍କାର କରିବା ସହ କୋର୍ଟ ରୁମ୍‌ର ଫର୍ନିଚର ଓ କମ୍ପ୍ୟୁଟର ବାଡେଇ ଭାଙ୍ଗି ଦେଇଛନ୍ତି ଜଣେ ଅଭିଯୋଗକାରୀ। ଏହି ଅସାଧାରଣ ଘଟଣା ଘଟିଛି ଗତ ୧୭ ତାରିଖରେ ଦିଲ୍ଲୀର କାର୍କାଦୁମା କୋର୍ଟର ୬୬ ନଂ ରୁମ୍‌ରେ।

ଶାସ୍ତ୍ରୀନଗର ବାସୀନ୍ଦା ରାକେଶଙ୍କ ମାମଲାର ଶୁଣାଣି ୨୦୧୬ଠାରୁ ଚାଲିଛି। ଦୀର୍ଘ ୫ ବର୍ଷ ହେଲା ଶୁଣାଣି ଚାଲୁଥିବାବେଳେ ତାଙ୍କୁ ନ୍ୟାୟ ବଦଳରେ ମିଳୁଥିଲା କେବଳ ତାରିଖ । ଏଥିରେ ଉତ୍‌କ୍ଷିପ୍ତ ହୋଇ ରାକେଶ ‘ତାରିଖ ପେ ତାରିଖ’ ଚିତ୍କାର କରିବା ସହ କୋର୍ଟ ରୁମ୍‌ରେ କମ୍ପ୍ୟୁଟର ଓ ଫର୍ନିଚର ଭାଙ୍ଗି ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। କୋର୍ଟରୁମ୍‌ରେ ଉପସ୍ଥିତ ଷ୍ଟାଫ୍‌ଙ୍କ ଠାରୁ ସୂଚନା ପାଇବା ପରେ ରାକେଶଙ୍କୁ ପୋଲିସ ଗିରଫ କରିଥିଲା।

ଆଇପିସି ଦଫା ୧୮୬ (ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେବା), ୩୫୩ (ସରକାରୀ କର୍ମଚାରୀଙ୍କ ଉପରେ ଅପରାଧିକ ବଳ ପ୍ରୟୋଗ କରିବା), ୪୨୭(ବଦମାସି)ଓ ୫୦୬ (ଭୟ ସୃଷ୍ଟି କରିବା) ଅଧୀନରେ ରାକେଶଙ୍କୁ ଗିରଫ କରାଯାଇଛି।

Share