ନୂଆଦିଲ୍ଲୀ,୨୧।୧୦: କକରୋଚ୍ ଜନତା ପାର୍ଟି (CJP)ର ପ୍ରବକ୍ତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ନ୍ୟାୟିକ ହାଜତ ବିରୋଧରେ ଦାଖଲ ଯାଚିକାର ଶୁଣାଣି ବେଳେ କୋର୍ଟ କହିଛନ୍ତି, “ଆପଣମାନେ ଜେନ୍-ଜି ନୁହନ୍ତି।” ଶୁଣାଣି ସମୟରେ ଉଭୟଙ୍କ ବୟସ ପଚାରିଥିଲେ ବିଚାରପତି ସୁବ୍ରମଣ୍ୟମ ପ୍ରସାଦ । ଏହାର ଉତ୍ତରରେ ଓକିଲ କହିଥିଲେ ଯେ ଆଶୁତୋଷଙ୍କ ବୟସ ୩୧ ବର୍ଷ ଏବଂ ସୌରଭଙ୍କ ବୟସ ୨୭ ବର୍ଷ।
ଶୁଣାଣି ସମୟରେ ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଉଭୟଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ, “ଆପଣମାନେ ଦୁଇଥର ବଣ୍ଡ ଭାଙ୍ଗିଛନ୍ତି। ପୋଲିସ ପାଇଁ ଶାନ୍ତି ବଜାୟ ରଖିବା ଜରୁରୀ। ଏଭଳି ପରିସ୍ଥିତିରେ ପୋଲିସ ଆପଣଙ୍କ ପ୍ରତି କୋହଳ ମନୋଭାବ ଦେଖାଇବ ବୋଲି କାହିଁକି ଆଶା କରୁଛନ୍ତି?” ଏହାସହ କୋର୍ଟ ପ୍ରଶ୍ନ କରିଥିଲେ ଯେ ସେମାନଙ୍କ ସଂଗଠନ କ’ଣ ଏବଂ ଏହାର ଉଦ୍ଦେଶ୍ୟ କ’ଣ? ଜୁଲାଇରେ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଦର୍ଶନ କରୁଥିଲେ, ଏବେ ଅନ୍ୟ ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି । ଆଗକୁ ଆଉ ଏକ ପ୍ରସଙ୍ଗରେ ପ୍ରଦର୍ଶନ କରିପାର ନ୍ତି। ତେଣୁ ସଂଗଠନର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି କୋର୍ଟ କହିଥିଲେ।
ଜେନ୍-ଜିର ଅର୍ଥ କ’ଣ ବୋଲି ମଧ୍ୟ କୋର୍ଟ ପଚାରିଥିଲେ । ଏହାର ଉତ୍ତରରେ ୧୯୯୭ ପରେ ଜନ୍ମ ହୋଇଥିବା ପିଢ଼ିକୁ ଜେନେରେସନ୍-ଜେଡ୍ ବା ଜେନ୍-ଜି କୁହାଯାଏ ବୋଲି ଜଣାଇଥିଲେ ଓକିଲ।ଆଶୁତୋଷ ଓ ସୌରଭଙ୍କ ଓକିଲ ଅଭିକ ଚିମନୀ କହିଥିଲେ ଯେ, ଅକ୍ଟୋବର ୧୯ ତାରିଖରେ ମାଜିଷ୍ଟ୍ରେଟ୍ ଉଭୟଙ୍କଠାରୁ କିପରି ବିପଦ ରହିଛି, ତାହା ସ୍ପଷ୍ଟ କରିନଥିଲେ। ଏହାର ଉତ୍ତରରେ ବିଚାରପତି କହିଥିଲେ, “ଆପଣ ଥରେ ବଣ୍ଡ ଭାଙ୍ଗିଛନ୍ତି, ଏହା କ’ଣ ଯଥେଷ୍ଟ ନୁହେଁ? ସ୍ୱାଧୀନତା ପବିତ୍ର, କିନ୍ତୁ କିଛି ନିୟମ ମଧ୍ୟ ରହିଛି।”
କୋର୍ଟ ଆହୁରି କହିଥିଲେ ଯେ ଅକ୍ଟୋବର ୨୧ ତାରିଖରେ ମାଜିଷ୍ଟ୍ରେଟ୍ ଉଭୟଙ୍କ ନ୍ୟାୟିକ ହାଜତ ସମ୍ପର୍କରେ ଶୁଣାଣି କରିବେ। ତେଣୁ ସେହି ନିଷ୍ପତ୍ତିକୁ ଅପେକ୍ଷା କରିବା ପରିବର୍ତ୍ତେ ହାଇକୋର୍ଟକୁ କାହିଁକି ଆସିଲେ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଓକିଲ କହିଥିଲେ, ଆଉ ଦୁଇଦିନ ଜେଲ୍ରେ କାହିଁକି ରହିବେ? ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଓକିଲଙ୍କ ଦାବି ଅନୁସାରେ, ଦୁଇଜଣ ଜାମିନଦାର ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ। କିନ୍ତୁ ମାଜିଷ୍ଟ୍ରେଟ୍ ସେମାନଙ୍କୁ ଗ୍ରହଣ କରିନଥିଲେ ଏବଂ ଉଭୟଙ୍କ ସହ କଥା ମଧ୍ୟ ହୋଇନଥିଲେ। ନ୍ୟାୟିକ ହାଜତ ବୃଦ୍ଧି କରିବାର ଆଦେଶ ଆଇନସମ୍ମତ ନୁହେଁ ବୋଲି ଓକିଲ ଯୁକ୍ତି ରଖିଥିଲେ।
ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀ ପୋଲିସ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ହାଜତକୁ ନେଇଥିଲା। ପ୍ରଥମେ ସେମାନଙ୍କୁ ପାଞ୍ଚଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଥିଲା। ପରେ ଏହାକୁ ଆଉ ଦୁଇଦିନ ବଢ଼ାଯାଇଥିଲା।