Categories: ଜାତୀୟ

ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ, ୧୮ା୩(ପି.ଟି.): ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ବାଧ୍ୟତାମୂଳକ ମତଦାନ ଲାଗି କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ହସ୍ତକ୍ଷେପ କରିବାକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। କାହାକୁ ଭୋଟ ଦେବା ଲାଗି ହାଇକୋର୍ଟ ବାଧ୍ୟ କରିପାରିବେ ନାହିଁ। ଆମେ ଆଇନ ପ୍ରଣେତା ନୋହୁଁ। ଏଭଳି ନିର୍ଦ୍ଦେଶ ଦେଇପାରିବୁ ନାହିଁ ବୋଲି ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ୍‌ ସୁବ୍ରମଣ୍ୟମ ପ୍ରସାଦଙ୍କ ଖଣ୍ଡପୀଠ କହିଛନ୍ତି। ମତଦାନକୁ ବାଧ୍ୟତାମୂଳକ କରିବା ଲାଗି ସମ୍ବିଧାନରେ କୌଣସି ବ୍ୟବସ୍ଥା ରହିଛି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅଦାଲତଙ୍କ ସମୟ ନଷ୍ଟ କରିଥିବାରୁ ଜରିମାନା ସହ ପିଆଇଏଲ୍‌କୁ ଖାରଜ କରାଯିବ ବୋଲି ଖଣ୍ଡପୀଠ ଚେତାବନୀ ଦେବା ପରେ ଆବେଦନକାରୀ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ଏହାକୁ ପ୍ରତ୍ୟାହାର କରିନେଇଥିଲେ।

Share