Categories: ଜାତୀୟ

ବିବାହ ଭୋଜିରେ ସାମିଲ ହୋଇପାରିବେ ଦୁଇ ଶହରୁ ଅଧିକ ଅତିଥି: ମାନିବାକୁ ପଡିବ ୫ ନିୟମ!

ନୂଆଦିଲ୍ଲୀ,୧ ।୧୧: ବିବାହ ଉତ୍ସବକୁ ନେଇ ଦିଲ୍ଲୀ ସରକାର ଏକ ଖୁସି ଖବର ଦେଇଛନ୍ତି । ସୂଚନାରୁ ଜଣାପଡିଛି ଏଣିକି ବିବାହ ଉତ୍ସବରେ ୨ଶହରୁ ଅଧିକ ଅତିଥି ଯୋଗ ଦେଇ ପାରିବେ । ହେଲେ ଏଥିପାଇଁ ସରକାର କେତୋଟି ସର୍ତ୍ତ ରଖିଛନ୍ତି । ଏଥିମଧ୍ୟରୁ ଗୋଟିଏ ବି ସର୍ତ୍ତ ପାଳନ ନ କଲେ ଜରିମାନା ଦେବା ନିଶ୍ଚିତ । ଏହା ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିବାହ ଭୋଜିରେ କେବଳ ୫୦ ଜଣ ଅତିଥି ଯୋଗ ଦେଇ ପାରିବେ ବୋଲି ଅନୁମତି ପ୍ରଦାନ କରିଥିଲେ । ହେଲେ ଏବେ ଲୋକେ ଏକ ପ୍ରକାର କରୋନା ମହାମାରୀ ସହ ବଞ୍ଚିବା ଶିଖିଯାଇଥିବା ବେଳେ ସରକାର ମଧ୍ୟ ବହୁ ଚିନ୍ତା କରି ଏଭଳି ଏକ ଘୋଷଣା କରିଥିବା କୁହାଯାଉଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ, ଯଦି କୌଣସି ଆବଦ୍ଧ ସ୍ଥାନରେ ବିବାହ କାର୍ଯ୍ୟ କରାଯାଉଛି ତେବେ ସେଠାକାର କ୍ଷମତାଠାରୁ ମାତ୍ର ୫୦ ପ୍ରତିଶତ ଅତିଥି ଯୋଗ ଦେଇ ପାରିବେ । କିନ୍ତୁ ଯଦି କୌଣସି ଖୋଲା ସ୍ଥାନରେ ବିବାହ କରାଯାଉଛି ତେବେ ସେଠାରେ ୨ଶହରୁ ଅଧିକ ଲୋକ ଯୋଗ ଦେଇପାରିବେ । ଏଥିରେ କୌଣସି ପ୍ରତିବନ୍ଧକ ନାହିଁ । ଦୀପାବଳି ପରେ ପରେ ବିବାହ ଋତୁ ଆରମ୍ଭ ହୋଇଯାଉଥିବାରୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାଧାରଣ ଜନତାଙ୍କଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏଥିପାଇଁ ୫ଟି ନିୟମ ପାଳନ କରିବା ଜରୁରୀ ବୋଲି ସରକାର କହିଛନ୍ତି । ଏହି ନିୟମ ମଧ୍ୟରେ ରହିଛି ବିବାହ ଭୋଜିରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ । ସେହିଭଳି ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ବି ଜରୁରୀ । ଭୋଜିରେ ଯୋଗ ଦେବାକୁ ଆସୁଥିବା ସମସ୍ତ ଅତିଥିଙ୍କର ଥର୍ମାଲ୍ ସ୍କ୍ରିନିଂ ଜରୁରୀ । ବିବାହ ସ୍ଥଳରେ ହ୍ୟାଣ୍ଡ ସାନିଟାଇଜର ବ୍ୟବସ୍ଥାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଫଳରେ ସଂକ୍ରମଣ ଆଶଙ୍କା କମ୍ ରହିବ । ଏହିସବୁ ନିୟମ ମଧ୍ୟରୁ ଯଦି ଗୋଟିଏ ବି ପାଳନ ନ କରାଯାଏ ତେବେ ଏଥିପାଇଁ ଜରିମାନାର ବ୍ୟବସ୍ଥା ରଖାଯାଇଛି । ସୂଚନାଯୋଗ୍ୟ, ଶୀତ ଆରମ୍ଭରୁ ଓ ପାର୍ବଣ ଋତୁ ସରୁ ସରୁ ଦିଲ୍ଲୀରେ ଏବେ ଲଗାତାର ଭାବେ ପ୍ରତିଦିନ ପାଖାପାଖି ୫ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

Share