ସରକାରଙ୍କ ବଡ଼ ଘୋଷଣା: ସରକାରୀ କାମରେ ବିଳମ୍ବ କଲେ ଗଣିବେ ଜରିମାନା

ନୂଆଦିଲ୍ଲୀ, ୯।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ବଢ଼ାଇବା ଏବଂ ସାଧାରଣ ଲୋକଙ୍କୁ ସରକାରୀ ସେବା ଶୀଘ୍ର ଯୋଗାଇଦେବା ଉଦ୍ଦେଶ୍ୟରେ ଦିଲ୍ଲୀ ସରକାର ‘ଦିଲ୍ଲୀ (ନାଗରିକଙ୍କୁ ସମୟବଦ୍ଧ ଓ ସହଜ ସେବା ପ୍ରଦାନ ଅଧିକାର) ଅଧିନିୟମ, ୨୦୨୬’କୁ ଅଧିସୂଚିତ କରିଛନ୍ତି। ଏହି ନୂଆ ଆଇନ ଅନୁଯାୟୀ, ବିନା କୌଣସି ଉଚିତ୍‌ କାରଣରେ ସରକାରୀ ସେବା ଯୋଗାଇବାରେ ବିଳମ୍ବ କରୁଥିବା ଅଧିକାରୀଙ୍କ ଉପରେ ପ୍ରତିଦିନ ୨୫୦ ଟଙ୍କା ଜରିମାନା ଲାଗୁ ହେବ। ଏହି ଜରିମାନାର ସର୍ବାଧିକ ସୀମା ୫,୦୦୦ ଟଙ୍କା ରହିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ସରକାର କହିଛନ୍ତି ଯେ, ଏହି ଆଇନ ପ୍ରଶାସନିକ କାର୍ଯ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ସହ ଉତ୍ତରଦାୟିତ୍ୱର ବ୍ୟବସ୍ଥାକୁ ସ୍ପଷ୍ଟ କରିବ।

ଦିଲ୍ଲୀ ସରକାର ନିଜର ଏକ୍ସ ପୋଷ୍ଟରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ଦିଲ୍ଲୀ ସରକାର ‘ଦିଲ୍ଲୀ (ନାଗରିକଙ୍କୁ ସମୟବଦ୍ଧ ଓ ସୁଗମ ସେବା ପ୍ରଦାନ ଅଧିକାର) ଅଧିନିୟମ, ୨୦୨୬’କୁ ଅଧିସୂଚିତ କରିଛନ୍ତି। ଏହି ଆଇନ ଅନୁଯାୟୀ, ସରକାରୀ ସେବା ପାଇଁ ନିର୍ଦ୍ଧାରିତ ସମୟସୀମା ଏବଂ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପରିଚୟ ସୁନିଶ୍ଚିତ ହେବ। ଅନାବଶ୍ୟକ ବିଳମ୍ବ ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ପ୍ରତିଦିନ ୨୫୦ ଟଙ୍କା ଏବଂ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ ହୋଇପାରିବ। ଅନୁଚିତ ଭାବେ ଆବେଦନ ଖାରଜ କଲେ ମଧ୍ୟ ଜରିମାନାର ବ୍ୟବସ୍ଥା ରହିଛି।

ଦିଲ୍ଲୀ ସରକାର ଆହୁରି କହିଛନ୍ତି ଯେ, ଏହି ଆଇନ ନାଗରିକଙ୍କୁ ଠିକ ସମୟରେ ସେବା ଯୋଗାଇଦେବା ସହ ପ୍ରଶାସନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସର୍ବନିମ୍ନ ସରକାର, ସର୍ବାଧିକ ସୁଶାସନ’ ମନ୍ତ୍ରରୁ ପ୍ରେରଣା ନେଇ ଦିଲ୍ଲୀ ସରକାରଙ୍କ ସଂକଳ୍ପ ହେଉଛି, ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଠିକ ସମୟରେ ଓ ସହଜରେ ସରକାରୀ ସେବା ଯୋଗାଇଦେବା। ଏହାଦ୍ୱାରା ଶାସନ ବ୍ୟବସ୍ଥାକୁ ଆହୁରି ନାଗରିକକୈନ୍ଦ୍ରିକ, ସମ୍ବେଦନଶୀଳ ଓ ଉତ୍ତରଦାୟୀ କରାଯାଇପାରିବ।

 

Dharitri – Odisha’s No.1 Odia Daily

Share
Tags: Delhi Govt