Categories: ଜାତୀୟ

ମଙ୍କିପକ୍ସକୁ ନେଇ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ,୨୫।୭:ଦିଲ୍ଲୀରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏବେ ଆଲର୍ଟ ହୋଇଯାଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ସରକାରଙ୍କ ଡିଜିଏଚ୍‌ଏସ୍‌ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ସ୍ବାସ୍ଥ୍ୟ ସୁବିଧା ପାଇଁ ମଙ୍କିପକ୍ସର କୌଣସି ସନ୍ଦିଗ୍ଧ ମାମଲାର ସୂଚନା ସଂପୃକ୍ତ ଜିଲା ସର୍ଭିଲାନ୍ସ ୟୁନିଟକୁ ଜଣାଇବା ବାଧ୍ୟତାମୂଳକ। ଏଥିସହ ଜିଲା ତଦାରଖ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ଲୋକନାୟକ ହସ୍ପିଟାଲର ସଂରକ୍ଷିତ ୱାର୍ଡରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯିବ। ଅନ୍ୟପଟେ ଦିଲ୍ଲୀରେ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ରହଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପଶ୍ଚିମ ଦିଲ୍ଲୀର ଜଣେ ୩୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ନିକଟରେ ମଙ୍କିପକ୍ସ ଲକ୍ଷଣ ଦେଖାଦେଇଥିଲା। ପ୍ରାୟ ତିନି ଦିନ ପୂର୍ବରୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ତାଙ୍କୁ ଆଇସୋଲେଟ କରାଯାଇଥିଲା। ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କ ସହ ଯୋଗାଯୋଗରେ ଆସିଥିବା ଅନ୍ୟ ଲୋକଙ୍କୁ ଖୋଜିବାକୁ ଉଦ୍ୟମ କରାଯାଉଛି। ତେବେ ସେ କୌଣସି ବିଦେଶ ଯାତ୍ରା କରି ନ ଥିବା ବେଳେ ଘରୋଇ ଯାତ୍ରା କରିଥିବା ସୂଚନା ରହିଛି।

Share