Categories: ଜାତୀୟ

ଅସ୍ଥାୟୀ ଜେଲ୍‌ରେ ପରିବର୍ତ୍ତନ ହେବ ନାହିଁ ଷ୍ଟାଡିୟମ୍‌: ପୋଲିସର ଦାବିକୁ ପ୍ରତ୍ୟାଖ୍ୟାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ପୋଲିସକୁ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏକ ଝଟ୍‌କା ମିଳିଛ। ୯ଟି ଷ୍ଟାଡିୟମ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବା ପାଇଁ ପୋଲିସ କରିଥିବା ଦାବିକୁ ଦିଲ୍ଲୀ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। କୃଷକଙ୍କ ପ୍ରଦର୍ଶନ କାରଣରୁ ଦିଲ୍ଲୀ ପୋଲିସ ଅସ୍ଥାୟୀ ଜେଲ୍‌ କରିବାକୁ ଦାବି କରିଥିଲେ। ତେବେ ଚାଷୀଙ୍କ ଦାବି ଯଥାର୍ଥ, ତେଣୁ ସେମାନଙ୍କୁ ଜେଲ୍‌ରେ ରଖିବା ଠିକ୍‌ ନୁହେଁ ବୋଲି ମୁଖମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ଏଥିପାଇଁ ଦିଲ୍ଲୀ ସରକାରରେ ଗୃହମନ୍ତ୍ରୀ ଥିବା ସତୈନ୍ଦ୍ର ଜୈନଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି, ଚାଷୀଙ୍କ ଦାବିରେ ଯଥାର୍ଥତା ରହିଛି ଏବଂ ସେମାନେ ଅହିଂସା ଢ଼ଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେଣୁ ତାଙ୍କୁ ଗିରଫ କରିବା ଉଚିତ୍‌ ନୁହେଁ ବୋଲି ଉକ୍ତ ବୟାନରେ କୁହାଯାଇଛି। ସୂଚନା ମୁତାବକ, ଶୁକ୍ରବାର ସକାଳେ ବହୁ ସଂଖ୍ୟାରେ କୃଷକମାନେ ଦିଲ୍ଲୀ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ୯ଟି ଅସ୍ଥାୟୀ ଜେଲ୍‌ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଥିଲା। ଯାହାଦ୍ୱାରା ଯଦି କୃଷକମାନେ ଏକାଠି ହୁଅନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ତେବେ ପୋଲିସର ଏଭଳି କାର୍ଯ୍ୟକୁ ନାପସନ୍ଦ କରିବା ସହ ତାଙ୍କର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି କେଜରିଓ୍ବାଲ।

Share