ନୂଆଦିଲ୍ଲୀ,୩ା୬: ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏଥିରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ପ୍ରଧାନମନ୍ତ୍ରୀ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କ ପାଇଁ ୫୦ ହଜାର ଲେଖାଏ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।
ସୂଚନା ଥାଉକି, ଦିଲ୍ଲୀର ମାଲଭିୟ ନଗରର ୫ ମହଲା ବିଶିଷ୍ଟ ଏକ ରେଷ୍ଟୁରାଣ୍ଟରେ ବୁଧବାର ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ କିଛି ଲୋକ ତଳକୁ ଡେଇଁ ପଡ଼ି ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ରେଷ୍ଟୁରାଣ୍ଟରେ ଲଜ୍ ବ୍ୟବସ୍ଥା ଥିବାରୁ ୨୫ଟି ରୁମ୍ ଥିଲା। ପ୍ରାୟ ୪୦ ଜଣ ଏହି ଲଜ୍ରେ ରହୁଥିଲେ। ଅନେକ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।