Categories: ଜାତୀୟ

ଜେଲ ଭିତରେ ସିସୋଡିଆଙ୍କ ଜୀବନ ବିପଦ ଅଭିଯୋଗ: ଭାଜପା କହିଲା, କେଜ୍‌ରିଓ୍ବାଲ୍‌ କରୁଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆଙ୍କୁ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। ତିହାରରେ ମନୀଷ ସିସୋଡିଆଙ୍କୁ ହତ୍ୟା କରିବା ପାଇଁ ଭାଜପା ଏକ ଷଡଯନ୍ତ୍ର ରଚିଥିବା ଏଏପି ଅଭିଯୋଗ କରିଛି। ଏହାର ପାଲଟା ଅଭିଯୋଗ କରି ଭାଜପା କହିଛି ଯେ, ଭାଜପା ନୁହେଁ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ହିଁ ସିସୋଡିଆଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚୁଛନ୍ତି।
ବୁଧବାର ସକାଳେ ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏକ ଖବରଦାତା ସମ୍ମିଳନୀ କରିଥିଲେ। ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କହିଥିଲେ, ମନୀଷ ସିସୋଡିଆଙ୍କୁ ଜେଲରେ ହତ୍ୟା କରିବା ପାଇଁ ଭାଜପା ଷଡଯନ୍ତ୍ର କରିଛି କି? ଏହି ଷଡଯନ୍ତ୍ର ଅନୁଯାୟୀ, ମନୀଷ ସିସୋଡିଆଙ୍କୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ଜେଲ ନମ୍ବର ୧ରେ ରଖାଯାଇଛି। ସିସୋଡିଆ ଭିପାସନା ସେଲରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ସତ୍ତ୍ୱେ ତାଙ୍କୁ ବିପଦପୂର୍ଣ୍ଣ ଅପରାଧୀଙ୍କ ସହିତ କାହିଁକି ରଖାଯାଇଛି? ପ୍ରଧାନମନ୍ତ୍ରୀ ଏବଂ ଭାଜପା ରାଜନୈତିକ ସ୍ତରରେ ଏଏପିକୁ ପରାସ୍ତ କରିପାରୁ ନାହିଁ, ତେଣୁ ସେମାନେ ଆମର ନେତାମାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଛନ୍ତି କି? ଏହି ଉପାୟରେ ଦିଲ୍ଲୀ ଏବଂ ଏମସିଡି ପରାଜୟର ପ୍ରଧାନମନ୍ତ୍ରୀ ପ୍ରତିଶୋଧ ନେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାର ଜବାବରେ ଭଜାପା ନେତା ମନୋଜ ତିୱାରୀ କହିଛନ୍ତି, ଦିଲ୍ଲୀ ଜେଲଗୁଡିକ ଦିଲ୍ଲୀ ସରକାରଙ୍କ ଅଧୀନରେ ଆସୁଛି, ଅର୍ଥାତ୍‌ ଏହି ଜେଲଗୁଡ଼ିକ ଅରବିନ୍ଦ କେଜ୍‌ରିୱାଲ ସରକାରଙ୍କ ଅଧୀନରେ ଅଛି। ଏଭଳି ପରିସ୍ଥିତିରେ ଜେଲ୍‌ ଭିତରେ ତାଙ୍କ ନିଜ ସହକର୍ମୀ ମନୀଷ ସିସୋଡିଆଙ୍କ ଜୀବନ ପ୍ରତି ବିପଦ କିପରି ସେ ସୃଷ୍ଟି କରିପାରନ୍ତି। କେଜ୍‌ରିଓ୍ବାଲ୍‌ ମନୀଷ ସିସୋଡିଆଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

Share