Categories: ଜାତୀୟ

ପୁଣି ସାକ୍ସେନାଙ୍କୁ ଟାର୍ଗେଟ୍‌ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଦିଲ୍ଲୀର ସରକାରୀ ଶିକ୍ଷକମାନଙ୍କୁ ଫିନଲ୍ୟାଣ୍ଡକୁ ତାଲିମ ପାଇଁ ପଠାଇବା ପ୍ରସଙ୍ଗରେ ଏବେ ପୁଣି ଥରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ସାକ୍ସେନାଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି ଏଲ୍‌ଜିଙ୍କ କହିବା ଅନୁଯାୟୀ, ସେ ଶିକ୍ଷକମାନଙ୍କ ପାଇଁ ଫିନଲ୍ୟାଣ୍ଡ ପ୍ରଶିକ୍ଷଣ ପ୍ରସ୍ତାବକୁ କେବେ ବି ପ୍ରତ୍ୟାଖ୍ୟାନ କରିନାହାଁନ୍ତି। ଯଦି ଏପରି ତେବେ ଉପରାଜ୍ୟପାଳ ତୁରନ୍ତ ମୋତେ ଏକ ଚିଠି ଲେଖି କହିପାରିଥାନ୍ତେ ଯେ, ଫିନଲ୍ୟାଣ୍ଡରେ ଶିକ୍ଷକ ପ୍ରଶିକ୍ଷଣ ପ୍ରସ୍ତାବ ଉପରେ ତାଙ୍କର କୌଣସି ଆପତ୍ତି ନାହିଁ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟି (ଏଏପି)ର ବିଧାୟକମାନେ ସୋମବାର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି। ଏହି ସମୟରେ କେଜ୍‌ରିଓ୍ବାଲ କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଏଏପି ବିଧାୟକମାନଙ୍କୁ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ପଡୁଛି। ମୁଁ ଆଶା କରୁଛି ଉପରାଜ୍ୟପାଳ ତାଙ୍କ ଭୁଲ୍‌କୁ ସୁଧାରିବା ସହ ଶିକ୍ଷକମାନଙ୍କୁ ଫିନଲ୍ୟାଣ୍ଡରେ ତାଲିମ ଦେବା ପାଇଁ ଅନୁମତି ଦେବେ।

Share