ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତାମତ ନୁହେଁ ଭାରତର ବକ୍ତବ୍ୟ: ଜୟଶଙ୍କର..

ନୂଆଦିଲ୍ଲୀ,୧୯।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ମତାମତ ନେଇ ଭାରତ ସିଙ୍ଗାପୁର ସମ୍ପର୍କରେ ଫାଟ ସୃଷ୍ଟି ହେବା ପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜୟଶଙ୍କର ଟୁଇଟ୍‌ କରି କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତାମତ ଭାରତର ବକ୍ତବ୍ୟ ନୁହେଁ। ଦୁଇଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଏହା ଦ୍ୱାରା କୌଣସି ପ୍ରଭାବ ପଡ଼ିବ ନାହିଁ। ଦୁଇଦେଶ ମିଳିତ ଭାବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ନେଇ ଜୟଶଙ୍କର ବୁଧବାର ଦୁଃଖ ପ୍ରକାଶ କରି ସିଙ୍ଗାପୁର ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ଫଟୀକରଣ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କେଜରିଓ୍ବାଲ ସିଙ୍ଗାପୁର ଭାରିଆଣ୍ଟ୍‌ ଯୋଗୁ ଦେଶରେ କରୋନା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଥିବା ମତାମତ ଦେଇଥିଲେ। ଏହାକୁ ନେଇ ସିଙ୍ଗାପୁର ସରକାର କ୍ଷୋଭ ପ୍ରକାଶ କରିଥିଲେ। ସିଙ୍ଗାପୁରରେ ଅବସ୍ଥାପିତ ଥିବା ଭାରତର ହାଇ କମିଶନରଙ୍କୁ ଏନେଇ ଜବାବ୍‌ ତଲବ କରାଯାଇଥିଲା। ସିଙ୍ଗାପୁର ଦୂତାବାସ ପକ୍ଷରୁ ଟୁଇଟ୍‌ କରି କୁହାଯାଇଥିଲା ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନୂଆ ଭାରିଆଣ୍ଟ୍‌ ନେଇ ଦେଇଥିବା ମତାମତରେ କୌଣସି ସତ୍ୟତା ନାହିଁ। ତେବେ ଫାଇଲୋଜେନେଟିକ୍‌ ଟେଷ୍ଟ୍‌ରୁ ଜଣାପଡ଼ିଛି ଯେ, ସିଙ୍ଗାପୁରରେ କେତେକ କରୋନା ଆକ୍ରାନ୍ତଙ୍କଠାରେ ବି.୧.୬୧୭.୨ ଭାରିଆଣ୍ଟ୍‌ ରହିଛି।

ସିଙ୍ଗାପୁର ପକ୍ଷରୁ ଆପତ୍ତି ପ୍ରକାଶ ପାଇବା ପରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। ଜୟଶଙ୍କରଙ୍କ ଟୁଇଟ୍‌ କେଜରିଓ୍ବାଲଙ୍କ ପାଇଁ ଛାଟ ସଦୃଶ୍ୟ ସାବ୍ୟସ୍ତ ହୋଇଛି। ଜୟଶଙ୍କରର ଟୁଇଟ୍‌ ପରେ ସିଙ୍ଗାପୁର ସରକାର ସନ୍ତୋଷ ପ୍ରକାଶ କରିବା ସହିତ କରୋନା ବିରୋଧରେ ଏକାଠି ଲଢ଼େଇ ଜାରି ରଖିବାକୁ କହିଛନ୍ତି। ଏନେଇ ସିଙ୍ଗାପୁର ବହିର୍ବ୍ୟାପାର ମନ୍ତ୍ରୀ ଭିଭିଆନ୍‌ ବାଲକ୍ରିଷ୍ଣନ୍‌ ସୂଚନା ଦେଇଛନ୍ତି।

Share