Categories: ଖେଳ

ଦୁଇ ଇଞ୍ଚର ତ୍ରୁଟି ହାଇଦ୍ରାବାଦ ହାତରୁ ଛଡ଼ାଇ ନେଲା ମ୍ୟାଚ୍‌

ଚେନ୍ନାଇ, ୨୫।୪: ପୁଣି ଥରେ ଚେନ୍ନାଇରେ ଦେଖିବାକୁ ମିଳିଛି ଥ୍ରିଲର ମ୍ୟାଚ୍‌। ଲୋ ସ୍କୋରିଂ ମ୍ୟାଚ୍‌ ସାଙ୍ଗକୁ ସୁପର ଓଭରର ମଜା। ଦୁଇ ଦଳ ପାଇଁ ସୁପର ଓଭରରେ ବୋଲିଂ କରିଥିଲେ ସ୍ପିନର। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୮ ରନ୍‌ ଲକ୍ଷ୍ୟକୁ ଅନ୍ତିମ ବଲରେ ହାସଲ କରିନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ତେବେ ହାଇଦ୍ରାବାଦ୍‌ ପକ୍ଷରୁ ଡେଭିଡ୍‌ ଓ୍ବାର୍ନର ସୁପର ଓଭରର ଅନ୍ତିମ ବଲରେ ଦୁଇ ରନ୍‌ ନେଇଥିଲେ। କିନ୍ତୁ ସେ କ୍ରିଜକୁ ଠିକ୍‌ ଭାବେ ଛୁଇଁ ନ ଥିଲେ। ଏଥିଯୋଗୁ ଗୋଟିଏ ରନ୍‌ କାଟ କରାଯାଇଥିଲା। ଯଦି ଓ୍ବାର୍ନର ଏହି ତ୍ରୁଟି କରି ନ ଥାନ୍ତେ, ତେବେ ମ୍ୟାଚ୍‌ର ଫଳାଫଳ ଭିନ୍ନ ହୋଇଥାନ୍ତା।

ପୃଥ୍ବୀ ଶ’ଙ୍କ ଅର୍ଦ୍ଧଶତକ ଯୋଗୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟ ହରାଇ ୧୫୯ ରନ୍‌ କରିଥିଲା। ପୃଥ୍ବୀ (୫୩ ରନ୍‌, ୭ ଚୌକା ଓ ୧ ଛକା)ଙ୍କ ବ୍ୟତୀତ ଧାଓ୍ବନ ୨୮, ଅଧିନାୟକ ରିଷଭ ପନ୍ତ ୩୭ ଓ ଷ୍ଟିଭ ସ୍ମିଥ ୩୪* ରନ୍‌ କରିଥିଲେ। ଜବାବରେ ହାଇଦ୍ରାବାଦ୍‌ ଆରମ୍ଭରୁ ହରାଇଥିଲା ଡେଭିଡ୍‌ ଓ୍ବାର୍ନର (୬)ଙ୍କ ଉଇକେଟ। ଏହାପରେ କେନ ଓ୍ବିଲିୟମସନ ଗୋଟେ ପଟେ ଲଢ଼େଇ ଜାରି ରଖିଥିବାବେଳେ ଅନ୍ୟ ପଟେ ଘଟିଥିଲା ଉଇକେଟ ପତନ। ଓ୍ବିଲିୟମସନ (୬୬ ରନ୍‌, ୮ ଚୌକା) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ଭାଗ୍ୟବଶତଃ ଜଗଦୀଶ ସୁଚିଥା(୧୪)ଙ୍କ ଯୋଗୁ ହାଇଦ୍ରାବାଦ୍‌ ସମାନ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Share