Categories: ଖେଳ

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ ୧୭.୩ ଓଭରରେ ୮୯ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୮.୫ ଓଭରରେ ୪ ଉଇକେଟ ହରାଇ ଜିତି ନେଇଥିଲା।

ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା। ଭେଟେରାନ୍‌ ଇଶାନ୍ତ ଶର୍ମା, ମୁକେଶ କୁମାର ଓ ଖଲିଲ ଅହମଦ ଚମତ୍କାର ବୋଲିଂ କରି ଟାଇଟନ୍ସର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ପେସର ମାନେ ୬ ଉଇକେଟ ନେଇଥିଲେ। ଅଧିନାୟକ ଶୁବମନ ଗିଲ୍‌ ୮, ରିଦ୍ଧିମାନ ସାହା ୨ ଓ ସାଇ ସୁଦର୍ଶନ ୧୨, ଡେଭିଡ୍‌ ମିଲର ୩ , ଅଭିନବ ମନୋହର ୬, ରାହୁଲ ଟଓ୍ବେଟିଆ ୧୦ ଓ ଶାହରୁଖ ଖାନ ୦ ବିଫଳ ହୋଇଥିଲେ। ୮ ନମ୍ବର ବ୍ୟାଟର ରଶିଦ୍‌ ଖାନ୍‌ ୩୧ ରନ୍‌ କରିବାରୁ ଦଳ ୮୯ ରନ୍‌ରେ ପହଞ୍ଚିଥିଲା। ରଶିଦ୍‌ ୨୪ ବଲ୍‌ ଖେଳି ୨ ଚୌକା ଓ ୧ ଛକା ମାରିଥିଲେ।

କ୍ୟାପିଟାଲ୍ସ ପକ୍ଷରୁ ମୁକେଶ କୁମାର ୩ ,ଇଶାନ୍ତ ଶର୍ମା, ଟ୍ରିଷ୍ଟାନ ଷ୍ଟବ୍ସ ୨ଟି ଲେଖାଏ ଉଇକେଟ ନେଇଥିଲେ। ୯୦ ରନ୍‌ ଲକ୍ଷ୍ୟରେ କ୍ୟାପିଟାଲ୍ସ ପକ୍ଷରୁ ଜେକ୍‌ ଫ୍ରେଜର ମ୍ୟାକଗ୍ରୁକ ଧୂଆଁଧାର ଆରମ୍ଭ କରିଥିଲେ। ସେ ୧୦ ବଲ୍‌ ଖେଳି ୨ଟି ଲେଖାଏ ଛକା ଓ ଚୌକା ସହ ୨୦ ରନ୍‌ କରିଥିଲେ। ଶାଇ ହୋପ୍‌ ୧୯, ଅଭିଷେକ ପୋରେଲ ୧୫ ଓ ରିଷଭ ପନ୍ତ ଅପରାଜିତ ୧୬ ରନ୍‌ କରି ଦିଲ୍ଳୀକୁ ବିଜୟୀ କରିଥିଲେ। ଗୁଜରାଟ ପକ୍ଷରୁ ସନ୍ଦୀପ ଓ୍ବାରିୟର୨, ରଶିଦ୍‌ ଖାନ ଓ ସ୍ପେନ୍ସର ଜନ୍‌ସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share