କରୋନା ପରେ ଏବେ ଚିନ୍ତା ବଢ଼ାଉଛି ବ୍ଲାକ୍‌ ଫଙ୍ଗସ୍‌: ଦିଲ୍ଲୀରେ ୧୯୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ପ୍ରଥମେ କରୋନା ଭାଇରସ୍‌ ଆଉ ଏବେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ଖେଳାଇବାରେ ଲାଗିଛି। ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ସହ ମୁକାବିଲା କରିବା ଏବେ ସରକାରଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି। ଦେଶରେ କେତେକ ରାଜ୍ୟରେ ଏହି ମାମଲା ଦେଖିବାକୁ ମିଳିଥିବା ବେଳେ ରାଜସ୍ଥାନ, ତେଲେଙ୍ଗାନା ଓ ଓଡ଼ିଶା ସରକାର ଏବେ ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ବୋଲି ଘୋଷଣା କରିଛନ୍ତି। ଇତିମଧ୍ୟରେ ଦିଲ୍ଲୀରେ ଏହି ମାମଲା କ୍ରମାଗତ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ୧୯୭ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ଶୁକ୍ରବାର ସୂଚନା ଦେଇଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ଚିହ୍ନଟ ହେବା ପରେ ନିଜେ ଔଷଧ ସେବନ ନ କରି ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ୨ଟି କାରଣ ଯୋଗୁ ଏହି ରୋଗ ବୃଦ୍ଧିପାଉଛି। ପ୍ରଥମିଟି ରକ୍ତରେ ଶର୍କରା ସ୍ତର ବୃଦ୍ଧି ଓ ଦ୍ୱିତୀୟଟି ଷ୍ଟେରଏଡ୍‌ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ। ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ ଷ୍ଟେରଏଡ୍‌ ସେବନ ନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Share