୨୪ ଘଣ୍ଟା ଧରି ଶିଶୁ ମୃତଦେହ ଜଗିିବସିଲେ ମା’ ବାପା

ଚାନ୍ଦବାଲି, ୯ା୧୦(ଡି.ଏନ.ଏ.): ଡାକ୍ତରଖାନାରେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜଣେ ଦୁଇବର୍ଷର ଶିଶୁକନ୍ୟାର ମୃତଦେହ ପଡ଼ି ରହିଥିଲା। ରାତିସାରା ମା’ ବାପା ଝିଅର ମୃତଦେହକୁ ଜଗି ବସିଥିଲେ। ଶୁକ୍ରବାର ମଧ୍ୟାହ୍ନରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୃତଦେହ ପଡ଼ିରହିବା ପରେ ଅପରାହ୍ନରେ ବ୍ୟବଚ୍ଛେଦ କରାଯାଇଥିଲା। ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଘଟଣାରୁ ପ୍ରକାଶ ଯେ, ବାଁଶଡ଼ା ଥାନା ଅଧୀନ ଯୁଣୁନ୍ଦା ଗାଁର ଅରବିନ୍ଦ ଜେନାଙ୍କ ଦୁଇବର୍ଷର ଝିଅ ଜ୍ୟୋତ୍ସ୍ନାରାଣୀ ଶୁକ୍ରବାର ଘର ପାଖରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ମତୋ ଓ ପରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଁଶଡ଼ା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା (ନଂ.୩୦/୨୧) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଜଣେ କନଷ୍ଟେବଳଙ୍କୁ ଜଗାଇଥିଲା। ହେଲେ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଡାକ୍ତର କି ପୋଲିସ କେହି ଆସି ନ ଥିଲେ ବୋଲି ମୃତ ଜ୍ୟୋତ୍ସ୍ନାରାଣୀଙ୍କ ମା’ ବାପା ପ୍ରକାଶ କରିଥିଲେ। ସେମାନେ ଝିଅର ମୃତଦେହକୁ ସାରାରାତି ଜଗି ବସିଥିଲେ ମଧ୍ୟ ଏହି ଅସହାୟ ଅବସ୍ଥାକୁ କେହି ବୁଝି ନ ଥିଲେ। ଝିଅକୁ ହରାଇଥିବା ଦୁଃଖଠାରୁ ଏଭଳି ଅବ୍ୟବସ୍ଥା ବଳିଯାଇଥିଲା। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଅପରାହ୍ନ ୨ଟା ପରେ ବ୍ୟବଚ୍ଛେଦ କରାଯାଇଥିଲା ବୋଲି କୁହାଯାଇଛି।