ବିଳମ୍ବ ହେଉଛି ବ୍ରିଜ୍‌ ନିର୍ମାଣ କାମ

କୁତ୍ରା,୧୧ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଲକ୍ଷ୍ମୀପୋଷରୁ ସମଲାଇମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଛି ବିଜୁ ସଡକ ଯୋଜନା ଅନ୍ତର୍ଗତ ରାସ୍ତା। ଏହି ରାସ୍ତାର କାଣ୍ଟିଝରିଆ ନାଳ ଉପରେ ଏକ ୬୦ ମିଟର ଲମ୍ବର ବ୍ରିଜ ନିର୍ମାଣଧୀନ ଅଛି। ବ୍ରିଜ କାମ ୨୦୨୧ -୨୨ ଆର୍ଥିକ ବର୍ଷରେ ସଂପୂର୍ଣ୍ଣ ହେବା କଥା। ହେଲେ ଏହି ସମୟ ସୀମାରୁ ଏକ ବର୍ଷ ବିତିଯାଇଥିଲେ ହେଁ ନିର୍ମାଣ କାର୍ଯ୍ୟ ଶେଷ ନ ହୋଇ ଅଧପନ୍ତରିଆ ହୋଇ ପଡ଼ି ରହିଛି। ୬୦ ମିଟର ବ୍ରିଜର ୩୦ ମିଟର କାର୍ଯ୍ୟ ସରି ସ୍ଲାବ ପଡିସାରିଥିବା ବେଳେ ବାକି ୩୦ ମିଟର ନିର୍ମାଣଧୀନ ରହିଛି। ଏହି ୩୦ ମିଟର ବ୍ରିଜରେ ସ୍ଲାବ ପଡିବା ପାଇଁ ଅସମୟରେ ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ଢଳାଇ ହୋଇଥିବା ଗାର୍ଡରରେ ସପ୍ତାହକ ତଳେ ହୋଇଥିବା ବର୍ଷା ପରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଏହା ଉପରେ ସ୍ଲାବ ପକାଇବା ପାଇଁ କରାଯାଇଥିବା ସେଣ୍ଟ୍ରୀଂ ବର୍ଷା ପାଣି ସ୍ରୋତରେ ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଛି। ଗାର୍ଡରେ ଦେଖା ଯାଇଥିବା ଫାଟ ଯୋଗୁଁ ଆଗକୁ ଯଦି ଏହାରି ଉପରେ ସ୍ଲାବ ପଡିବାର ଯୋଜନା କରାଯାଏ ତେବେ ଏହା ବ୍ରିଜର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚି ସୃଷ୍ଟି କରିବ। ଅନ୍ୟ ପକ୍ଷରେ ଧାର୍ଯ୍ୟ ସମୟ ସୀମାରେ କାର୍ଯ୍ୟ ସରି ନ ଥିବା ଯୋଗୁ ଯାତାୟତରେ ଲୋକେ ଅସୁବିଧା ଭୋଗୁଛନ୍ତି। ଖବର ନେବାରୁ ଜଣା ପଡିଲା ଯେ, ଏହି କାର୍ଯ୍ୟ କରାଉଥିବା ଠିକାଦାର ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଯୋଗୁଁ କାର୍ଯ୍ୟ ବିଳମ୍ବିତ ହେଉଛି। ସେ ଦୀର୍ଘ ମାସ ହେଲା ରାଜ୍ୟ ବାହାରେ ରହି ନିର୍ମାଣ ସ୍ଥଳକୁ ଆସୁନାହାନ୍ତି। ଏପରିକି ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ସେମାନଙ୍କ ଟଙ୍କା ୩ ମାସ ହେଲା ପାଇ ନ ଥିବା ଅଭିଯୋଗ କରୁଛନ୍ତି। ବ୍ରିଜ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ସରକାରୀ ବିଭାଗ ଏହି ବ୍ରିଜର ଗାର୍ଡରରେ ସୃଷ୍ଟି ହୋଇଥିବା ଫାଟକୁ ଦୃଷ୍ଟିରେ ରଖି ବ୍ରିଜର ସ୍ଥାୟିତ୍ୱ ପାଇଁ ଆଗକୁ ଏହାର ଯୋଜନା ପ୍ରସ୍ତୁତ କରିବା ସହ ଶ୍ରମିକଙ୍କୁ ମଳିିନଥିବା ପାରିଶ୍ରମିକ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।