କବି ବିନୋଦ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଅନୁମତିରେ ବିଳମ୍ବ

ସୁନ୍ଦରଗଡ,୨୧ା୮(ଜୟ ନାରାୟଣ ମେଣ୍ଡୁଳି): ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ କାବ୍ୟ ସ୍ରଷ୍ଟା ତଥା କାଳଜୟୀ ଗ୍ରାମପଥ ଓ ସରୀସୃପ କବିତାର କବି ବିନୋଦ ଚନ୍ଦ୍ର ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଶିକ୍ଷା ବିଭାଗର ଅନୁମତି ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁ ସାହିତ୍ୟ ଓ ସଂସ୍କୃତିି ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କବି ବିନୋଦଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସେ ପାଠ ପଢିଥିବା ସ୍ଥାନୀୟ ଭବାନୀ ଶଙ୍କର ହାଇସ୍କୁଲ ପରିସରରେ ସ୍ଥାପନ ପାଇଁ କବି ବିନୋଦ ଚନ୍ଦ୍ର ନାୟକ ସ୍ମୃତି କମିଟିର ପ୍ରସ୍ତାବ କ୍ରମେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରଥମେ ୨୦୨୧ ଅଗଷ୍ଟ ୩୦ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଅନୁମତି ଲୋଡାଯାଇଥିଲା। ଏହାପରେ ୨୦୨୧ ସେପ୍ଟେମ୍ବର୨ରେ ଜିଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଅନୁମତି ଲୋଡିଥିଲେ। ହେଲେ କୌଣସି ଉତ୍ତର ନ ମିଳିବା ପରେ ଜିଲା ଶିକ୍ଷା ଅଧିକାରୀ ପୁନର୍ବାର ୨୦୨୨ ଅଗଷ୍ଟ ୫ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଥିଲେ। ଏହା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଗଷ୍ଟ ୧୭ରେ ଆବଶ୍ୟକ କାଗଜପତ୍ର ମାଗିଥିଲେ। ଚିଠି ପାଇବାପରେ ବିଦ୍ୟାଳୟ ପରିଚାଳନା କମିଟି ୨୦୨୩ ଅଗଷ୍ଟ ୨୩ରେ କବିବିନୋଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୁଣି ପ୍ରସ୍ତାବ ଗୃହୀତ କରି ପଠାଇଥିଲା। ଏହାମଧ୍ୟରେ ଜୁନ ୨୨ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞାପ୍ତି ଜାରି କରିଥିଲେ। ହେଲେ ପରିତାପର ବିଷୟ ଏହା ସତ୍ତ୍ୱେ ମଧ୍ୟ କବି ବିନୋଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ଅନୁମତି ପ୍ରଦାନ କରି ନ ଥିବାରୁ କେବଳ ସାହିତ୍ୟ ପ୍ରେମୀଙ୍କ ନୁହେଁ ସମଗ୍ର ସୁନ୍ଦରଗଡବାସୀଙ୍କୁ ବ୍ୟଥିତ କରିଛି। ଏନେଇ କିବି ନୋଦ ଚନ୍ଦ୍ର ନାୟକ ସ୍ମୃତି କମିଟି ପକ୍ଷରୁ ରାଜକିଶୋର ଷଡଙ୍ଗୀ ଗତ ୧୧ରେ ଜିଲାପାଳଙ୍କୁ ଲିଖିତଭାବେ ଅବଗତ କରି ଅଗଷ୍ଟ ଶେଷ ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ କରାଯିବାକୁ ଦାବି କରିଛନ୍ତି। ଯାହାକି ସେପ୍ଟେମ୍ବର ୨ରେ କବିଙ୍କ ଜନ୍ମଦିବସରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସୁନ୍ଦରଗଡ ଜିଲା ତେଲିପାଲି ଗ୍ରାମରେ ଜନ୍ମିତ ମାଟିର ବରପୁତ୍ର ତଥା ଖ୍ୟାତନାମା କବି ବିନୋଦ ସମଗ୍ର ଓଡିଶା ମାଟିର ଗର୍ବ ଓ ଗୌରବ। ସେ ଓଡ଼ିଆ ସାହିତ୍ୟର ଉପସଭାପତି, ସଭାପତି ଓ ସଚିବ ପଦ ସଫଳତାର ସହ ନିର୍ବାହ କରିଛନ୍ତି। ତାଙ୍କର ଏହି ଉଚ୍ଚାଙ୍ଗ ସାହିତ୍ୟ ସାଧନ ପାଇଁ ୧୯୭୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ତାଙ୍କ ରଚିତ ଲୋକପ୍ରିୟ କବିତା ଗ୍ରାମପଥ ଓ ସରୀସୃପ ଆମ ଶିକ୍ଷା ପାଠ୍ୟ କ୍ରମରେ ମଧ୍ୟ ପ୍ରଚଳିତ ହୋଇଅଛି।