ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଧାନ ଉଠାଣ ଓ ମିଲର୍ସଙ୍କ ଦ୍ୱାରା କଷ୍ଟମ ମିଲ୍ଡ ରାଇସ୍ (ସିଏମଆର) ଜମାରେ ହେଉଥିବା ବିଳମ୍ବକୁ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ସେ ଏକ ପତ୍ର ଲେଖି ଧାନ ଉଠାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଚାଉଳ ଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି। ଏମପି ପୁରୋହିତଙ୍କ ପତ୍ର ଅନୁଯାୟୀ, ଖରିଫ ବିପଣନ ଋତୁ ୨୦୨୫-୨୬ରେ ବରଗଡ଼ ଜିଲାର ଧାନ କ୍ରୟ ଲକ୍ଷ୍ୟ ୫୨ ଲକ୍ଷ ୩୩ ହଜାର ୪୪୨ କ୍ୱିଣ୍ଟାଲ ଥିବାବେଳେ ଅକ୍ଟୋବର ୨୨ ସୁଦ୍ଧା ମାତ୍ର ୨୪ ଲକ୍ଷ ୪୭ ହଜାର ୮୫୮ କ୍ୱିଣ୍ଟାଲ ଚାଉଳ ଜମା ହୋଇଥିଲା। ଧାନ ଉଠାଣ ପାଇଁ ଆହୁରି ୨୬ ଲକ୍ଷ ୩୦ ହଜାର ୪୧୫ କ୍ୱିଣ୍ଟାଲ ଚାଉଳ ବାକି ରହିଥିବା ବେଳେ ସିଏମଆର ଜମାର ହାର ମାତ୍ର ୫୦.୪୨ ପ୍ରତିଶତ ରହିଥିଲା ।ସେହିପରି ରାଜ୍ୟସ୍ତରରେ ୧ କୋଟି ୩୫ ଲକ୍ଷ ୧୫ ହଜାର ୭୪୦.୯୦ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବାବେଳେ ୯୧ ଲକ୍ଷ ୮୪ ହଜାର ୯୦୫.୨୫ କ୍ୱିଣ୍ଟାଲ ଚାଉଳ ଜମା ହେବାର ଥିଲା। ଏଥିମଧ୍ୟରୁ ୬୫ ଲକ୍ଷ ୫୧ ହଜାର ୨୩୩.୧୫ କ୍ୱିଣ୍ଟାଲ ସିଏମଆର ଜମା ହେବା ବାକି ରହିଥିବା ପତ୍ରରେ ଉଲ୍ଲେଖ କରାଯାଇଛି । ଗୋଦାମରେ ଚାଉଳ ଅଧିକ ମହଜୁଦ ରହିବା ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଓ ରାଇସ୍ ମିଲର୍ସଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ସମସ୍ୟା ଉପୁଜିଥିବା ଏମପି ପୁରୋହିତ ଦର୍ଶାଇଛନ୍ତି । ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରିବାରେ ଅସୁବିଧା ଭୋଗୁଥିବା ସହ ମାନସିକ ଓ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି।ଆଗାମୀ ନଭେମ୍ବର ୧୭ରୁ ନୂତନ ଖରିଫ ଧାନ କ୍ରୟଋତୁ ଆରମ୍ଭ ହେବାକୁ ଥିବାରୁ ତା’ ପୂର୍ବରୁ ବକେୟା ଚାଉଳ ଉଠାଣ ସମ୍ପୂର୍ଣ୍ଣ କରିବା, ଏକ ସପ୍ତାହ ମଧ୍ୟରେ ଏଫସିଆଇ ଦ୍ୱାରା ଚାଉଳ ଉଠାଣ ପ୍ରକ୍ରିୟା ଶେଷ କରିବା ଏବଂ ମିଲର୍ସଙ୍କ ପାଇଁ ପର୍ଯ୍ୟାପ୍ତ ଗୋଦାମ ବ୍ୟବସ୍ଥା କରିବାକୁ ସାଂସଦ ଦାବି କରିଛନ୍ତି। ଏହାଦ୍ୱାରା ଚାଷୀଙ୍କୁ ନୂତନ ଧାନ ବିକ୍ରିରେ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ଏମପି ପୁରୋହିତ ଆଶା ପ୍ରକାଶ କରିଛନ୍ତି।