ହୀରାକୁଦକୁ ବିଦେଶୀ ପକ୍ଷୀ ଆଗମନରେ ବିଳମ୍ବ

ସମ୍ବଲପୁର, ୨୦।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି। ସେଥିମଧ୍ୟରେ ହୀରାକୁଦ ଅନ୍ୟତମ। ହୀରାକୁଦ ଜଳଭଣ୍ଡାର ସହ ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟନ ଋତୁରେ ବିଦେଶୀ ପକ୍ଷୀଙ୍କ ସମାଗମ ମୁଖ୍ୟ ଆକର୍ଷଣ ସାଜିଥାଏ। ଏଥିପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ହେଲେ ଚଳିତ ପର୍ଯ୍ୟଟନ ଋତୁରେ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ବିଳମ୍ବ ହୋଇଛି। ପ୍ରତିବର୍ଷ ନଭେମ୍ବର ଦ୍ୱିତୀୟ ସପ୍ତାହରେ ବିଦେଶୀ ପକ୍ଷୀ ଆସିବା ଆରମ୍ଭ କରିଥାନ୍ତି। ହେଲେ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଦେଖାଯାଉନାହାନ୍ତି। ପାଣିପାଗରେ ପରିବର୍ତ୍ତନ ହୋଇ ଶୀତ ପଡ଼ିବାରେ ବିଳମ୍ବ ହୋଇଛି। ତେଣୁ ପକ୍ଷୀ ଆସିନାହାନ୍ତି ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି। ଯେଉଁ ଅଳ୍ପ କେତେକ ପକ୍ଷୀ ଦେଖାଯାଉଛନ୍ତି ତାହା ପୂର୍ବ ବର୍ଷରୁ ଆସି ରହିଯାଇଥିବା ଅନୁମାନ କରାଯାଉଛି। ଥଣ୍ଡା ବଢିଲେ ପକ୍ଷୀ ଆଗମନ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବ। ପକ୍ଷୀଙ୍କ ସୁରକ୍ଷାକୁ ନେଇ ବନ ବିଭାଗ ପ୍ରସ୍ତୁତ ରହିଛି ବୋଲି ଡିଏଫ୍‌ଓ ଦାଶ କହିଛନ୍ତି। ବିଦେଶୀ ପକ୍ଷୀଙ୍କ ଆଗମନରେ ବିଳମ୍ବ ହେଲେ ଡିସେମ୍ବରରୁ ହେବାକୁ ଯାଉଥିବା ହୀରାକୁଦ ଇକୋ ରିଟ୍ରିଟରେ ପ୍ରଭାବ ପଡ଼ିବ ବୋଲି ପରିବେଶବିତ୍‌ ଆଲୋଚନା କରୁଛନ୍ତି। ବିଶେଷ କରି ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଆସିବାର ସମୟ। ସୂଚନାଯୋଗ୍ୟ, ପ୍ରତିବର୍ଷ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀ ଶୀତ ସମୟରେ ଆସିଥାନ୍ତି। ପ୍ରାୟ ୯୦ରୁ ଅଧିକ ପ୍ରଜାତିର ପାଖାପାଖି ଦେଢ଼ରୁ ୨ଲକ୍ଷ ପକ୍ଷୀଙ୍କ ସମାଗମ ହୋଇଥାଏ। ଏହାମଧ୍ୟରେ ଲେଜର୍‌ ହୁଇଷ୍ଟିଙ୍ଗ୍‌ ଡକ୍‌, କମନ୍‌କଟ୍‌, କମନ୍‌ ପଚାଡ୍‌, ରେଡ୍‌ କ୍ରେଷ୍ଟଟେଡ୍‌ ପଚାଡ୍‌, ଟଫ୍‌ଟେଡ୍‌ ଡକ୍‌ ଆଦି ପ୍ରଜାତିର ପକ୍ଷୀ ସଂଖ୍ୟା ଅଧିକ ରହିଥାଏ। ଶୀତ କମିଲେ ପୁଣି ସେମାନେ ବାହୁଡିଯାଆନ୍ତି।