ସିଆରସିସି ନିଯୁକ୍ତିରେ ବିଳମ୍ବ: ପିଲାଙ୍କ ପାଠପଢ଼ା ଦିଗହରା

ନାଉଗାଁ,୬ା୬(ସ୍ବ.ପ୍ର): ବ୍ଲକ ଗୁଡ଼ିକରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଶିକ୍ଷାଦାନ ଆଦିକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭନ୍ନ କ୍ଲଷ୍ଟରରେ ବିଭକ୍ତ କରାଯାଇ ସିଆର୍‌ସିସିମାନଙ୍କୁ ନିଯୁକ୍ତି କରାଯାଇଛି। ନାଉଗାଁ ବ୍ଲକରେ ୨୦୨୧ରୁ ୫ ସିଆରସିସିଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ଏଠାରେ ପିଲାଙ୍କ ପାଠପଢ଼ା କିପରି ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ବ୍ଲକରେ ସମୁଦାୟ ୭୭ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏସବୁ ବିଦ୍ୟାଳୟକୁ ସୁପରିଚାଳନା କରିବା ପାଇଁ ୯ଟି କ୍ଳଷ୍ଟରରେ ବିଭକ୍ତ କରାଯାଇ ୯ ଜଣ ସିଆରସିସିଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନଙ୍କ କାର୍ଯ୍ୟକାଳ ୫ ବର୍ଷ ସ୍ଥିରୀକୃତ କରାଯାଇଛି। ୨୦୨୧ରେ କାର୍ଯ୍ୟକାଳ ପୂରଣ କରିଥିବା ସିଆର୍‌ସିସିମାନେ ହେଲେ ଅଙ୍ଗେଶ୍ୱରପଡା କ୍ଳଷ୍ଟର ଶରତ ଚନ୍ଦ୍ର ରାଉତ, ବାଣୀପୀଠ ପଞ୍ଚାୟତ ଜାମୁଦଣ୍ଡାର ରୁଦ୍ର ପ୍ରସାଦ ସ୍ବାଇଁ, କୋରୁଅ ଉ.ପ୍ରା ସ୍କୁଲ କ୍ଳଷ୍ଟର କାଳନ୍ଦି ଚରଣ ବିଶ୍ୱାଳ, ଗଙ୍ଗଦା ଉ.ପ୍ରା ସ୍କୁଲ କ୍ଲଷ୍ଟରର ଫକୀର ଚରଣ ସ୍ବାଇଁ ଓ କଣ୍ଟୁଣିଆ ନୋଡାଲ ହାଇସ୍କୁଲ କ୍ଳଷ୍ଟରର ପ୍ରଦୀପ କୁମାର ସ୍ବାଇଁ। ସେମାନେ ଏବେବି ଦାୟିତ୍ୱ ଥିଲେ ମଧ୍ୟ ସମ୍ପୃକ୍ତ କ୍ଲଷ୍ଟରଗୁଡ଼ିକରେ ଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନେ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସୁ ନ ଥବା ସାଧାରଣରେ ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ନୂତନ ସିଆରସିସିମାନଙ୍କୁ ନିଯୁକ୍ତି ଦେବାପାଇଁ ଶିକ୍ଷାବିତ୍‌ମାନେ ଦାବି କରିଛନ୍ତି।
ଏସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମନୋରମା ରାଉତ କହିଛନ୍ତି, ନୂତନ ସିଆରସିସି ନିଯୁକ୍ତି ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଛି। ସେଠାରୁ ନିଦ୍ଦର୍ଦ୍ଦେଶ ଆସିଲେ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ।