ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରେ କେହି ମାଓବାଦୀ ରହିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତ୍ୟୁରେଖା ସ୍ଥିର କରାଯାଇଥିଲା। ତଥ୍ୟ ପ୍ରଦାନ କରିବାକୁ ଯାଇ ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଗତ ୩ ବର୍ଷ ମଧ୍ୟରେ ୪,୮୩୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୭୦୬ ଜଣଙ୍କୁ ହତ୍ୟା କରାଯାଇଛି ଓ ୨,୨୧୮ ଜଣଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ୨୦୨୪ ପ୍ରାରମ୍ଭରେ ମାଓବାଦୀଙ୍କ ସେଣ୍ଟ୍ରାଲ କମିଟି ଓ ପଲିଟ୍‌ବ୍ୟୁରୋରେ ୨୧ ଜଣ ସଦସ୍ୟ ଥିବା ବେଳେ ଏବେ ଆଉ କେହି ନାହାନ୍ତି। ଏହିଭଳି ଅନେକ ତଥ୍ୟ ସ୍ବରାଷ୍ଟ୍ରମନ୍ତ୍ରୀ ଦେଇଛନ୍ତି। ସାଧାରଣରେ ଗୋଟିଏ କଥା ମନକୁ ଆସୁଛି, ଭାରତ ମାଓବାଦୀମୁକ୍ତ ହୋଇଗଲେ ମଧ୍ୟ ମାଓବାଦ ଚିନ୍ତାଧାରା ମଣିଷ ମନରୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବା କଷ୍ଟକର। ଯେପର୍ଯ୍ୟନ୍ତ ଦାରିଦ୍ର୍ୟ, ଅସମାନତା ଏବଂ ଧନୀ-ଗରିବ ତଫାତ୍‌ ବୃଦ୍ଧି ପାଇଚାଲିଥିବ, ସେ ପର୍ଯ୍ୟନ୍ତ ଗରିବର ସ୍ବର ସବୁବେଳେ ଅନ୍ୟାୟ ବିରୋଧରେ ଉଠୁଥିବ। ଦେଶର ରାଜନୀତିରେ ଏକ କଂଗ୍ରେସ କିମ୍ବା କମ୍ୟୁନିଷ୍ଟ ମୁକ୍ତ ଧ୍ୱନି ଦେଇ ଭୋଟ ନେବା ସମ୍ଭବପର ହୋଇପାରେ। ଏହିଭଳି ବାତାବରଣ ବର୍ତ୍ତମାନ ଭାରତରେ ଚେର ଧରିଛି। ଏହା ଫଳରେ ଏଭଳି ମୁକ୍ତ ତାଲିକାଭୁକ୍ତ ହେବା ପାଇଁ ଆହୁରି ଅନେକ ରାଜନୈତିକ ଦଳ ଧାଡ଼ିରେ ଛିଡ଼ା ହୋଇଥିବା ଭଳି ସ୍ପଷ୍ଟ ବୁଝାପଡୁଛି। ବିକଳ୍ପହୀନ ରାଜନୀତିର ଶିକାର ଏବେ ଭାରତ ହୋଇଛି। ଯେଉଁଠି ଯାହାର ଯିଏ ବିକଳ୍ପ ସାଜିପାରୁଛି, ସେହି ଦଳର ସଫଳତା ଅନେକାଂଶରେ ବୃଦ୍ଧି ପାଉଛି।
ବ୍ୟକ୍ତିଙ୍କୁ ମାରି ଦିଆଯାଇପାରେ, କିନ୍ତୁ ଏକ ଦର୍ଶନ ବା ଚିନ୍ତାଧାରା ଥରେ ରୂପରେଖ ନେଇଥିଲେ ତାହାକୁ ଜନମାନସରୁ ହଟେଇଦେବା ସମ୍ଭବପର ନୁହେଁ। ଜଣେ ନାଗରିକ ତାହାକୁ ଗ୍ରହଣ କରିପାରନ୍ତି କିମ୍ବା ଘୃଣା କରିପାରନ୍ତି। ଏଠି ମନେପଡ଼େ ଜର୍ନେଲ ସିଂ ଭିନ୍ଦ୍ରେନ୍‌ଓ୍ବାଲାଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ଖଲିସ୍ଥାନର ସ୍ବପ୍ନ ଲିଭିଯାଇନାହିଁ। ଯଦି ଅନ୍ତର୍ଜାତୀୟ ଦୃଶ୍ୟପଟକୁ ଦେଖିବା ଅଲ୍‌-କାଏଦା ନେତା ଓସ୍‌ମା ବିନ୍‌ ଲାଡେନ୍‌ଙ୍କୁ ହତ୍ୟା କରାଯିବା ପରେ ବିଶ୍ୱାସ କରାଯାଉଥିଲା ଯେ, ସେହି ସଙ୍ଗଠନ କବର ପାଇଗଲା। କିନ୍ତୁ ତାହା ଆଇଏସ୍‌ଆଇଏସ୍‌ ଭିତରେ ପୁନର୍ଜୀବିତ ହୋଇଥିଲା। ନଗଦ ଉଦାହରଣ ଦେଖିବାକୁ ଗଲେ ଇରାନ୍‌ ପରିସ୍ଥିତି ମନକୁ ଆସେ। ଉଭୟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ତାଙ୍କ ପ୍ରରୋଚନାରେ ଫସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଭାବିଥିଲେ ଇରାନ୍‌ର ସୁପ୍ରିମ୍‌ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ହାତଗଣତି ବଡ଼ ନେତାଙ୍କୁ ପ୍ରଥମ ଦିନ ମାରିଦେଲେ ଯୁଦ୍ଧବିରତି ତତ୍‌କ୍ଷଣାତ ଘଟିବ। ଆଜି, ଅନେକ ହଜାର ଲୋକଙ୍କ ମୃତ୍ୟୁ ଏବଂ ଧ୍ୱଂସର ତାଣ୍ଡବଲୀଳା ସମଗ୍ର ମଧ୍ୟପ୍ରାଚ୍ୟରେ ଘଟିଚାଲିଥିବା ବେଳେ ସେହି ମୁଣ୍ଡିମାନଙ୍କ ମୃତ୍ୟୁ କୌଣସି ଗୁରୁତ୍ୱ ରଖିଲା ନାହିଁ। ଏହି ଯୁଦ୍ଧ ପଛରେ ଆମେରିକା ଓ ଇସ୍ରାଏଲ୍‌ର ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବେ ପୁରୁଣା ସାମନ୍ତବାଦୀ ଭାବନାରେ ବୁଡ଼ିକି ଥିଲା। ଇରାନ୍‌ ପ୍ରମାଣ କରିଦେଲା ଯେ, ନେତା ନ ଥିଲେ ମଧ୍ୟ ଚିନ୍ତାଧାରା ମରିଯାଏ ନାହିଁ। ପୁନର୍ବାର ଦୋହରାଇବାକୁ ଗଲେ, ଯେପର୍ଯ୍ୟନ୍ତ ଭାରତୀୟ ସମାଜରେ ଦାରିଦ୍ର୍ୟ, ଅସମାନତା, ଛୁଆଁଅଛୁଆଁ ଭେଦଭାବ ସବଳ ଥିବ; ସେ ପର୍ଯ୍ୟନ୍ତ ପ୍ରଗତିଶୀଳ ଏବଂ ଗରିବ ସପକ୍ଷବାଦୀ ଚିନ୍ତାଧାରା ମୁଣ୍ଡ ଟେକି ବଞ୍ଚିରହିବ। କମ୍ୟୁନିଷ୍ଟ କିମ୍ବା ମାଓଇଷ୍ଟ ଶବ୍ଦଗୁଡ଼ିକର ପରଲୋକ ଘଟିଯିବାର ସମ୍ଭାବନା ରହିଛି। କିନ୍ତୁ ଦେଶର ସମ୍ପତ୍ତି ଲୁଟି ଧନୀ ହେଉଥିବା ଲୋକଙ୍କ ପ୍ରତି ବିରୋଧ ସବୁବେଳେ ଶକ୍ତିଶାଳୀ ହୋଇଚାଲିଥିବ। ଏହାର କାର୍ଯ୍ୟପ୍ରଣାଳୀ ଓ ରୂପ କେଉଁ ଆକାର ଭବିଷ୍ୟତରେ ଧରିବ, ତାହା ୨୦୨୬ ଏପ୍ରିଲ ଆରମ୍ଭରେ କହିବା ହୁଏତ ସମ୍ଭବପର ହୋଇ ନ ପାରେ।

 

Dharitri – Odisha’s No.1 Odia Daily

 

Share