କୋଭିଡିଅଟ୍‌ ଶବ୍ଦର ସଂଜ୍ଞା ଅକ୍ସଫୋର୍ଡ ଡିକ୍ସନାରୀରେ ପ୍ରକାଶ

ଓ୍ବାଶିଂଟନ, ୩୦।୯: କରୋନା ମହାମାରୀ ସଙ୍କଟ ସମୟରେ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ କୋଭିଡିଅଟ୍‌ ଶବ୍ଦର ସଜ୍ଞା ପ୍ରକାଶ ପାଇଛି। ଏହି ଶବ୍ଦକୁ ‘ନିର୍ଦ୍ଦେଶ ମାନୁ ନ ଥିବା ବ୍ୟକ୍ତି ବିଶେଷ’ ଭାବେ ଉଲ୍ଲେଖ କରାଯାଇଛି। କୋଭିଡ୍‌ ଏବଂ ଇଡିଅଟ୍‌ ଦୁଇ ଶବ୍ଦର ମିଳନରେ କୋଭିଡିଅଟ୍‌ ଶବ୍ଦ ସୃଷ୍ଟି ହୋଇଥିବା ଅକ୍ସଫୋର୍ଡ ଡିକ୍ସନାରୀରେ ଦର୍ଶାଯାଇଛି। କରୋନା ମହାମାରୀ ସମୟରେ କେତେକ ନୂଆ ଶବ୍ଦ ସୃଷ୍ଟି ହୋଇଛି। ସେସବୁ ଶବ୍ଦକୁ ଅକ୍ସଫୋର୍ଡ଼ ୟୁନିଭରସିଟି ପ୍ରେସ୍‌ ପକ୍ଷରୁ ଡିକ୍ସନାରୀରେ ସାମିଲ୍‌ କରାଯାଇଛି। ସେଥିମଧ୍ୟରେ ସୋସିଆଲ୍‌ ଡିଷ୍ଟାନ୍ସିଂ, କଣ୍ଟ୍ରାକ୍ଟ ଟ୍ରେସିଂ, କମ୍ୟୁନିଟି ସ୍ପ୍ରେଡ୍‌, କମ୍ୟୁନିଟି ଟ୍ରାନ୍ସମିଶନ, ହର୍ଡ ଇମ୍ୟୁନିଟି, ହ୍ୟାଣ୍ଡ୍‌ ଜେଲ୍‌, ହ୍ୟାଣ୍ଡ୍‌ ସାନିଟାଇଜର, ହଟ୍‌ ଜୋନ୍‌, କ୍ୱାରାଣ୍ଟାଇନ୍‌, ଓ୍ବାର୍କ ଫ୍ରମ୍‌ ହୋମ୍‌, ପେସେଣ୍ଟ ଜିରୋ ଆଦି ଶବ୍ଦ ରହିଛି। ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ ଗତ ୨୦ ବର୍ଷ ଧରି ଲଗାତାର ପ୍ରତି ୩ ମାସରେ ନୂଆନୂଆ ଶବ୍ଦକୁ ସାମିଲ୍‌ କରାଯାଇ ଆସୁଛି। ଏହା ଅନ୍ତର୍ଗତ କୋଭିଡିଅଟ୍‌ ଶବ୍ଦକୁ ଏବେ ଏଥିରେ ସ୍ଥାନୀତ କରାଯାଇଛି। ସାଧରଣତଃ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ ମାର୍ଚ୍ଚ, ଜୁନ୍‌, ସେପ୍ଟମ୍ବର ଏବଂ ଡିସେମ୍ବରରେ ନୂଆ ଶବ୍ଦର ଘୋଷଣା କରାଯାଇଥାଏ।

Share