Categories: ଜାତୀୟ

ସେନା ବାହିନୀଙ୍କୁ ୧୫ ଦିନ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ୍‌ ରଖିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୩।୧୨: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ସେହିପରି ଏଲ୍‌ଓସିରେ ମଧ୍ୟ ପାକିସ୍ତାନ ସହିତ ସ୍ଥିତି ସମ୍ବେଦନଶୀଳ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେନା ବାହିନୀଙ୍କୁ ୧୫ ଦିନ ଯୁଦ୍ଧ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ମହଜୁଦ୍‌ ରଖିବାକୁ ପରାମର୍ଶ ଦିଆଯାଇଛି। ପୂର୍ବ ଲଦାଖରେ ଜାରି ରହିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବିଭାଗ ପକ୍ଷରୁ ଅସ୍ତ୍ରଶସ୍ତ୍ର ତଥା ଗୋଳାବାରୁଦ କିଣା ଲାଗି ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି। ଏସବୁ ସ୍ବଦେଶୀ କମ୍ପାନୀ ତଥା ବିଦେଶୀ ଉତ୍ପାଦନକାରୀଙ୍କଠାରୁ ସଂଗ୍ରହ କରାଯିବ। ପୂର୍ବରୁ ଏକାଦିକ୍ରମେ ଚାଇନା ଏବଂ ପାକିସ୍ତାନ ସହିତ ଯୁଦ୍ଧ ପାଇଁ ୧୦ ଦିନର ଅସ୍ତ୍ରଶସ୍ତ୍ର ମହଜୁଦ୍‌ ରଖିବାକୁ କୁହାଯାଇଥିଲା। କିଛି ବର୍ଷ ପୂର୍ବରୁ ସେନା ବାହିନୀଙ୍କୁ ୪ହ ଦିନର ଅସ୍ତ୍ରଶସ୍ତ୍ର ମହଜୁଦ୍‌ ରଖିବାକୁ ପରାମର୍ଶ ଦିଆଯାଉଥିଲା। ତେବେ ପରିବର୍ତ୍ତିତ ରଣନୀତିକୁ ଦୃଷ୍ଟିରେ ରଖି ସେନା ବାହିନୀ ପକ୍ଷରୁ ଏବେ ୧୦ ଦିନର ଅସ୍ତ୍ରଶସ୍ତ୍ର ମହଜୁଦ୍‌ ରଖାଯାଉଛି। ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ସଂରକ୍ଷଣ କରି ରଖିବାରେ ସମସ୍ୟା ଦେଖାଦେଉଥିବାରୁ ଏଭଳି କରାଯାଉଛି। ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ସମୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରାଯାଇ ୧୦୦ କୋଟି ଟଙ୍କାରୁ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ସେହିପରି ଜରୁରୀକାଳୀନ ସ୍ଥିତିରେ ଅସ୍ତ୍ରଶସ୍ତ୍ର କିଣିବା ଲାଗି ଅତିରିକ୍ତ ୩୦୦ କୋଟି ଟଙ୍କାର ସହାୟତା ବ୍ୟବସ୍ଥାର ଆରମ୍ଭ କରାଯାଇଥିଲା।

Share