ଅହଂକାରର ପରାଜୟ: କଂଗ୍ରେସ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ୩ କୃଷି ଆଇନକୁ ପ୍ରତ୍ୟାହାର କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ସେହି ଆଇନକୁ ସଂସଦର ଆସନ୍ତା ଶୀତକାଳୀନ ଅଧିବେଶନରେ ରଦ୍ଦ କରାଯିବ। ଏହା କୃଷକ ଓ ଗଣତନ୍ତ୍ରର ବିଜୟ ଏବଂ କେନ୍ଦ୍ର ସରକାରଙ୍କ ଅହଂକାରର ପରାଜୟ ବୋଲି କଂଗ୍ରେସ କହିଛି। ଦଳର ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲାକୁମାର କହିଛନ୍ତି, ଦେଶରେ ନରେନ୍ଦ୍ର ମୋଦି ସରକାର ଯେଉଁ କଳା କୃଷି ଆଇନ ପ୍ରଣୟନ କରିଥିଲେ, ତାହାକୁ ରଦ୍ଦ କରିବାକୁ ଆଜି ସେ ନିଜେ ଘୋଷଣା କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ କୋଟି କୋଟି କୃଷକ ଯେଉଁ ଆନ୍ଦୋଳନ ଜାରି ରଖିଥିଲେ ତାହା ନ୍ୟାୟ ସଙ୍ଗତ ଥିଲା। ନିକଟରେ ଦେଶରେ ହୋଇଥିବା ଉପ ନିର୍ବାଚନରେ କଂଗ୍ରେସର ସଫଳତା କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ ବାଧ୍ୟ କରିଛି। ଆନ୍ଦୋଳନ ସମୟରେ କୃଷକମାନଙ୍କୁ ଆତଙ୍କବାଦୀ ବୋଲି ଚିତ୍ରଣ କରାଯାଇଥିଲା। ୭୦୦ରୁ ଅଧିକ କୃଷକ ପ୍ରାଣ ହରାଇଛନ୍ତି। ତେବେ ପାର୍ଲାମେଣ୍ଟରେ ଏହି ୩ କୃଷି ଆଇନ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ଚେଲ୍ଲାକୁମାର କହିଛନ୍ତି। ଖବରଦାତା ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଏଆଇସିସି ସମ୍ପାଦକ ଜି. ରୁଦ୍ର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।