Categories: ଜାତୀୟ

ପାଞ୍ଚ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଅଯୋଧ୍ୟା

ଲକ୍ଷ୍ନୌ,୧୩ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି । ମର୍ଯ୍ୟାଦା ପୁରୁଷ ରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଦୀପ ଜାଳି ଏହି ପର୍ବକୁ ପାଳନ କରାଯିବା ଲାଗି ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ । ଶୁକ୍ରବାର ଏଠାରେ ପାଖାପାଖି ୫ ଲକ୍ଷ ୫୧ ହଜାର ଦୀପ ଜଳାଇ ଦୀପାବଳି ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥର ବି ନିଜ ନାଁରେ ଥିବା ବିଶ୍ୱ ରେକର୍ଡକୁ ଭାଙ୍ଗିବ ଅଯୋଧ୍ୟା । ସରଜୁ ନଦୀ କୂଳରେ ଆୟୋଜିତ ହେବାକୁ ଥିବା ଆଳତିକୁ ନେଇ ଉତ୍ସାହିତ ଅଛନ୍ତି ଅଯୋଧ୍ୟାବାସୀ । ଏଥିରେ ସାମିଲ ହେବାକୁ ବାହାର ରାଜ୍ୟରୁ ମଧ୍ୟ ଲୋକେ ପହଞ୍ଚିଛନ୍ତି ଆଉ ଦୀପାବଳି ପାଇଁ ଅଯୋଧ୍ୟ ନଗରୀ ନୂଆ ବୋହୂ ଭଳି ସଜେଇ ହୋଇ ସାରିଲାଣି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ ଲୋକେ ଏଥିରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲେ ବି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ପହଞ୍ଚିବେ । ୩ଟା ୧୦ରେ ରାମ ଲଲାଙ୍କ ଦର୍ଶନ କରି ଦୀପ ପ୍ରଜ୍ୱଳନ କରିବାର କାର୍ଯ୍ୟକମ ରହିଛି । ତେବେ ରାମଜନ୍ମଭୂମୀ ନିକଟରେ ମଧ୍ୟ ୧୧ ହଜାର ଦୀପ ଜଳିବାର ଯୋଜନା କରାଯାଇଛି ।

Share