ଡ୍ରଗ୍ସ ମାମଲା: ଏନ୍‌ସିବି କାର୍ଯ୍ୟାଳୟ ପହଞ୍ଚିଲେ ଦୀପିକା, ସାରା-ଶ୍ରଦ୍ଧାଙ୍କୁ ହୋଇପାରେ ଜେରା

ମୁମ୍ବାଇ,୨୬ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍‌ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବିବି) ରାଡାରରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ବଲିଉଡ୍ ନାୟିକା ଦୀପିକା ପାଦୁକୋନ, ସାରା ଅଲି ଖାଁ, ରକୁଲ ପ୍ରିତ ସିଂଙ୍କ ଭଳି ଆଗଧାଡିର ଅଭିନେତ୍ରୀ । ଏମାନଙ୍କ ନାଁ ଆସିବା ପରେ ଏବେ ଏନ୍‌ସିବି ତା’ର ଯାଞ୍ଚକୁ ଆହୁରି କଡାକଡି କରିଦେଇଛି । ଏହି ଧାରାରେ ଶୁକ୍ରବାର ରକୁଲ ପ୍ରିତ ସିଂଙ୍କୁ ଜେରା କରାଯାଇଛି । ପଚରା ଉଚରା ବେଳେ ସେ ଡ୍ରଗ୍ସ ନେବା କଥା ମନା କରିଥିଲେ ବି ରିଆଙ୍କ ସହ ଡ୍ରଗ୍ସ ଚାଟ କଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଡ୍ରଗ୍ସ ତାଙ୍କ ଘରେ ରିଆ ରଖିଥିଲେ । ଅନ୍ୟପଟେ ଦୀପିକାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ଶନିବାର ସକାଳୁ ଦୀପିକା ପାଦୁକୋନ ଏନ୍‌ସିବିର ଏସ୍‌ଆଇଟି କାର୍ଯ୍ୟାଳୟ ପହଞ୍ଚିଛନ୍ତି । ତାଙ୍କୁ ଏନ୍‌ସିବି ଡ୍ରଗ୍ସ ମାମଲାରେ ସମନ ଜାରି କରି ପଚରା ଉଚରା ପାଇଁ ଡାକିଛି । ଅନୁମାନ କରାଯାଉଛି କି ଦୀପିକା ଓ ତାଙ୍କ ମ୍ୟାନେଜରଙ୍କୁ ସମ୍ନା ସାମ୍ନି ବସାଇ ପଚରା ଉଚରା କରାଯିବ । ଅନ୍ୟପଟେ ଅଭିନେତ୍ରୀ ସାରା ଅଲ୍ଲି ଖାାଁ ଓ ଶ୍ରଦ୍ଧା କପୁରଙ୍କ ନାଁ ଏଥିରେ ସାମିଲ ଥିବାରୁ ସେମାନଙ୍କୁ ମଧ୍ୟ ଜେରା କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Share