Categories: ଖେଳ

ଆର୍‌ସିବି ୯୨ରନ୍‌ କରିବା ପରେ ଚର୍ଚ୍ଚାରେ ଦୀପିକା; ୧୧ ବର୍ଷ ପୂର୍ବ…

ନୂଆଦିଲ୍ଲୀ,୨୧।୯: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଇପିଏଲ୍‌ ଆରମ୍ଭ ଦିନରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ର ବଡ଼ ପ୍ରଶଂସିକା। ଷ୍ଟାଡିୟମରେ ପହଞ୍ଚି ଆର୍‌ସିବି ମ୍ୟାଚ୍‌ ଦେଖିବାଠାରୁ ଆରମ୍ଭ କରି ଦଳର ବିଜୟରେ ଟୁଇଟ୍‌ କରି ଖୁସିବ୍ୟକ୍ତ କରନ୍ତି ସେ। ତେବେ ସୋମବାର କେକେଆର୍‌ ବିପକ୍ଷରେ ଆର୍‌ସିବି ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଖେଳିଥିଲା। ଏଥିରେ ଦଳ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏହାପରେ ଦୀପିକାଙ୍କ ୧୧ ବର୍ଷ ତଳର ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି।

୨୦୧୦ରେ ବିରାଟ କୋହଲିଙ୍କ ଟିମ୍‌ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୯୨ ରନ୍‌ରେ ଆଉଟ୍‌ କରିଦେଇଥିଲା। ଏହାପରେ ଦୀପିକା ଏକ ଟୁଇଟ୍‌ କରିଥିଲେ। ଆର୍‌ସିବି ଉକ୍ତ ମ୍ୟାଚ୍‌କୁ ୧୦ ଉଇକେଟରେ ଜିତିନେଇଥିଲା। ୨୦୨୧ ଆଇପିଏଲ୍‌ରେ ସମାନ ସ୍କୋର ଆର୍‌ସିବି କରିବା ପରେ ଦୀପିକାଙ୍କ ଟୁଇଟ୍‌ ଭାଇରାଲ ହୋଇଛି। ସେଥିରେ ଦୀପିକା ଲେଖିଥିଲେ, ୯୨ !! ଏହା କଣ ଗୋଟିଏ ସ୍କୋର। ବହୁତ ଭଲ ପ୍ରଦର୍ଶନ ଆର୍‌ସିବି। ଏହିଭଳି ଆଗକୁ ବଢ଼। ମୁଁ ଆପଣଙ୍କ ସହ ଅଛି। ପ୍ରତି ସେକେଣ୍ଡରେ ଏହାର ଲାଇଭ୍‌ ଦେଖୁଛି ବୋଲି ସେ କହିଥିଲେ। ଏବେ ଏହା ଭାଇରାଲ ହେବା ପରେ ବ୍ୟବହାରକାରୀ ଭଳିକି ଭଳି ମନ୍ତବ୍ୟ ଦେଉଛନ୍ତି।

ପ୍ରକାଶ ଯେ, କୋଲକାତା ନାଇଟ୍‌ ରାଇଡର୍ସ ଦଳ ଉଲ୍ଲେଖନୀୟ ବୋଲିଂ କରିବା ଯୋଗୁ ଆର୍‌ସିବି ଦଳ ୯୨ରେ ଅଲଆଉଟ୍‌ ହୋଇଥିଲେ। ପରେ କେକେଆର୍‌ ଟିମ୍‌ ୧୦ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା।

Share