ଦୀପାଳିଙ୍କ ଖଣ୍ଡାବୁଲା ଭିଡିଓ ଭାଇରାଲ

ସମ୍ବଲପୁର, ୧।୪ (ବ୍ୟୁରୋ): ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। ଶୁକ୍ରବାର ଏହା ଘୋଷଣା ହେବା ପରେ ଦୀପାଳି ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅପରପକ୍ଷରେ ଦୀପାଳି ଖଣ୍ଡା ବୁଲାଉଥିବାର ଏକ ଭିଡିଓ ଗୁରୁବାର ରାତିରୁ ଭାଇରାଲ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରୁଛି। ଏହି ପ୍ରସଙ୍ଗରେ ଜିଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ଅଭିଯୋଗ କରିଛନ୍ତି, ଜୟନାରାୟଣ ମିଶ୍ର କିମ୍ବା ଅନ୍ୟ ଭାଜପା ନେତା ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପାରମ୍ପରିକ ଅସ୍ତ୍ର ଖଣ୍ଡା ବୁଲାଇଲେ ଗିରଫ କରାଯାଉଛି। ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଉଛି। ମାତ୍ର ବିଜେଡିର ପୂର୍ବତନ ମନ୍ତ୍ରୀଙ୍କ ଝିଅ ଦୀପାଳି ସର୍ବସମ୍ମୁଖରେ ଖଣ୍ଡା ବୁଲାଇଲେ ସବୁ ମାଫ୍‌ କରାଯାଉଛି। ଆଇନ କ’ଣ ବିଜେଡି ନେତାଙ୍କ ପାଇଁ ଗୋଟିଏ ଓ ଅନ୍ୟ ଲୋକଙ୍କ ପାଇଁ ଅଲଗା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଇରାଲ ଭିଡିଓରେ ଦୀପାଳିଙ୍କ ସହିତ ତାଙ୍କ ଭାଇ ବିଶାଳ ମଧ୍ୟ ଅଛନ୍ତି। ଦୀପାଳି ହାତରେ ଖଣ୍ଡା ଓ ମୁଣ୍ଡରେ ରାଜ ପଗଡି ପିନ୍ଧି ଖଣ୍ଡା ବୁଲାଉଛନ୍ତି। ତାଙ୍କ ସମର୍ଥକମାନେ ଭିଡିଓ କରିବା ସହ ଝାନ୍‌ସୀ କି ରାନି ବୋଲି ସମ୍ବୋଧନ କରୁଥିବା ମଧ୍ୟ ଶୁଣାଯାଉଛି। ଅନ୍ୟପଟେ ଘଟଣାଟି ଝାରସୁଗୁଡା ବୁରୋମାଲର ବୋଲି ଜଣାପଡିଛି। ସେଠାରେ ରାମନବମୀ ଉତ୍ସବରେ ଦୀପାଳି ଯୋଗଦେଇଥିଲେ। ଆୟୋଜକମାନେ ପ୍ରଥମେ ଲାଠି ଓ ପରେ ଖଣ୍ଡା ବୁଲାଇବାକୁ ଅନୁରୋଧ କରିବାରୁ ଦୀପାଳି ଖଣ୍ଡା ବୁଲାଇଥିବା ତାଙ୍କ ସମର୍ଥକମାନେ କହିଛନ୍ତି। ଝାରସୁଗୁଡା ଏସ୍‌ପି ପରମାର ସ୍ମିତ କହିଛନ୍ତି, ଭିଡିଓ ଓ ଖଣ୍ଡା ବୁଲାଇବାକୁ ନେଇ ଆମ ପାଖରେ କୌଣସି ଅଭିଯୋଗ ଆସି ନାହିଁ। ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।