Categories: ଖେଳ

ସେମାନେ କି ଭୁଲ କଲେ? ଏହି ୨ ଖେଳାଳିଙ୍କୁ ଅଣଦେଖା କରାଯିବାକୁ ନେଇ ରାଗିଗଲେ ପୂର୍ବ କ୍ରିକେଟର

ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ଚୟନକର୍ତ୍ତା ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ଦେଇଛନ୍ତି। ହେଲେ ଅନେକ ହକଦାର ଖେଳାଳିଙ୍କୁ ସୁଯୋଗ ମିଳିନାହିଁ। ଏହାକୁ ନେଇ ଭାରତୀୟ ଟିମ୍‌ର ପୂର୍ବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦୀପ ଦାଶଗୁପ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଦର୍ଶନ ଆଧାରରେ ଜୟଦେବ ଉନାଦକଟ ଏବଂ ରାହୁଲ ତେବତିୟାଙ୍କୁ ଚୟନ କରାଯିବା ଉଚିତ ଥିଲା ବୋଲି କ୍ରିକେଟରରୁ କମେଣ୍ଟେଟର ପାଲଟିଥିବା ଦାଶଗୁପ୍ତା କହିଛନ୍ତି।

ଜୁଲାଇ ୧୩ରୁ ୨୫ ମଧ୍ୟରେ ଶ୍ରୀଲଙ୍କା ବିପକ୍ଷରେ ଭାରତ କଲମ୍ବୋରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ। ଏହି ଟିମ୍‌ର ଅଧିନାୟକ ଶିଖର ଧଓ୍ବନ ରହିବେ। ସେହିଭଳି ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ହେଲେ ଜୟଦେବ ଏବଂ ତେବତିୟାଙ୍କୁ ଦଳରେ ସାମିଲ କରା ନ ଯିବାକୁ ନେଇ ଦାଶଗୁପ୍ତା ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ କଟାକ୍ଷ କରିଛନ୍ତି।

ଶ୍ରୀଲଙ୍କାରେ ୬ ମୁକାବିଲା ହେବ। ଆପଣଙ୍କୁ ୨୦ଜଣ ଖେଳାଳି ଏବଂ ୫ଜଣ ନେଟ ବୋଲର ବାଛିବାକୁ ଥିଲା। ଆପଣ ଅନ୍ୟ ଖେଳାଳିଙ୍କୁ ମଧ୍ୟ ସାମିଲ କରିପାରିଥାନ୍ତେ। ସେମାନେ କି ଭୁଲ କରିଥିଲେ। ଗତ ସିଜନରେ ସେମାନେ ସାମିଲ ଥିଲେ। ତାଙ୍କୁ ସୁଯୋଗ ମିଳିବାର ଆବଶ୍ୟକତା ରହିଥିଲା। ୨୫ ସ୍ଥାନରେ ୨୭ର ସ୍କ୍ବାର୍ଡ ଥିଲେ କୌଣସି ଅସୁବିଧା ହୋଇନଥାନ୍ତା ବୋଲି ଦାଶଗୁପ୍ତା କହିଛନ୍ତି।

ମୁଁ ଦଳ ଚୟନକୁ ନେଇ ବେଶି କଥା କହିବାକୁ ଚାହେଁନା। ୨୦ ଖେଳାଳି ଅଛନ୍ତି, ଯିଏ ବି ଦାବିଦାର, ତାଙ୍କୁ ସ୍ଥାନ ମିଳିଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମୁଁ ଚାହୁଁଥିଲି ଜୟଦେବଙ୍କୁ ସ୍ଥାନ ମିଳୁ। କାରଣ ସେ ବହୁତ ପରିଶ୍ରମ କରୁଥିବା ଖେଳାଳି। କେବଳ ଆଇପିଏଲ୍‌ ନୁହେଁ ସେ ରଣଜୀ ଟ୍ରଫିରେ ୨୦-୨୫ ଓଭର ବୋଲିଂ କରୁଛନ୍ତି। ଯଦି ଆପଣ ୨୫ ବଦଳରେ ୨୬ଜଣ ଖେଳାଳି ଚୟନ କରିଥାନ୍ତେ କୌଣସି ଫରକ ପଡ଼ି ନ ଥାନ୍ତା। ଅପରପକ୍ଷେ ୫ଜଣ ସ୍ପିନର ଏବଂ ମନିଷ ପାଣ୍ଡେଙ୍କ ଚୟନକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସେ। ଏଭଳି ଲାଗୁଛି ସମସ୍ତେ ଟିମ୍‌ରେ ଅଛନ୍ତି। ମନିଷଙ୍କ ସହ ଚୟନକର୍ତ୍ତା କ’ଣ କରିବାକୁ ଚାହାନ୍ତି ବୁଝାପଡ଼ୁନାହିଁ ବୋଲି ସେ ମଧ୍ୟ କହିଛନ୍ତି।

Share