Categories: ଫୁରସତ

ରୋଗୀ ସେବାରେ ବ୍ରତୀ

ଅନ୍ୟଙ୍କୁ ନିଷ୍ଠାପର ଭାବେ ସ୍ବାସ୍ଥ୍ୟସେବା ଯୋଗାଇବା ହିଁ ପ୍ରକୃତ ପୂଣ୍ୟ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କ କାର୍ଯ୍ୟ ଅତୁଳନୀୟ। ସେମାନଙ୍କ ମହାନ୍‌ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମେ’ ୧୨ରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଥାଏ। ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ଜନ୍ମବାର୍ଷିକୀରେ ଏହି ଦିବସ ପାଳିତ ହୋଇଥାଏ। ଏକ ସମୃଦ୍ଧ ସମାଜ ଗଠନରେ ନର୍ସମାନଙ୍କ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କରୋନା ମହାମାରୀ ସମୟରେ ସେମାନଙ୍କର ଅସାଧାରଣ ଅବଦାନ ନର୍ସିଂ ପ୍ରତି ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ନେଇ ଲୋକଙ୍କ ମଧ୍ୟରେ ସ୍ବତନ୍ତ୍ର ପ୍ରେରଣା ସୃଷ୍ଟି କରିପାରିଛି।
ଅନ୍ତର୍ଜାତୀୟ ନର୍ସ ଦିବସ ୧୯୬୫ରେ ଅନ୍ତର୍ଜାତୀୟ ନର୍ସ ପରିଷଦ (ଆଇସିଏନ୍‌) ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଦିନଟି ପ୍ରସିଦ୍ଧ ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ଜନ୍ମ ବାର୍ଷିକୀ।

ସେ ଜଣେ ଇଂଲିଶ ନର୍ସ, ସାମାଜିକ ସଂସ୍କାରକ ଏବଂ ପରିସଂଖ୍ୟାନବିତ୍‌ ଥିଲେ। କ୍ରିମିୟନ ଯୁଦ୍ଧ ସମୟରେ ସେ ନର୍ସିଂ ପରିଚାଳନା ତଥା ପ୍ରଶିକ୍ଷକ ଭାବରେ କାର୍ଯ୍ୟକରି ଆଧୁନିକ ନର୍ସିଂ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ। ସେ ୧୮୨୦ ମେ’୧୨ରେ ଇଟାଲୀର ଫ୍ଲୋରେନ୍ସରେ ଜନ୍ମ ଗ୍ରହଣ କରିଥିଲେ। ୧୯୧୦ ଅଗଷ୍ଟ ୧୩ରେ ବିଟ୍ରେନ୍‌ର ଲଣ୍ଡନର ମେଫେୟାରଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୯୧୦ ଅଗଷ୍ଟ ୨୦ରେ ସେଣ୍ଟ ମାର୍ଗାରେଟ୍‌ ଚର୍ଚ୍ଚ ପରିସରରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ତାଙ୍କର ପିତା ୱିଲିୟମ ନାଇଟେଙ୍ଗଲ ଏବଂ ମାତା ଫ୍ରାନ୍ସିସ ନାଇଟେଙ୍ଗଲ ଥିଲେ।

ସେ ଦି ଲେଡି ଓ୍ବିଥ୍‌ ଲ୍ୟାମ୍ପ ଭାବେ ବେଶ୍‌ ପରିଚିତ। ନର୍ସିଂ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣକରିବା ଲାଗି ଏହି ଦିବସ ପାଳନ ଅବସରରେ ପୃଥିବୀ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।

Share