ଅପରାଧମୁକ୍ତ ହେବ ସମଲିଙ୍ଗୀ ସମ୍ପର୍କ

ସିଙ୍ଗାପୁର, ୨୨ା୮ : ସିଙ୍ଗାପୁରରେ ପୁରୁଷଙ୍କ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରାଯିବ ବୋଲି ରବିବାର ସେଠାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ଘୋଷଣା କରିଛନ୍ତି। ବ୍ରିଟିଶ ଉପନିବେଶ ଯୁଗୀୟ ଆଇନ ଅନୁସାରେ ସିଙ୍ଗାପୁର ପେନାଲ କୋଡ୍‌ର ଧାରା ୩୭୭ ଏ ବଳରେ ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ଏକ ଅପରାଧ, ଯାହା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡବିଧାନ ରହିଛି।

ଆଧୁନିକ ଯୁଗରେ ଏହି ପୁରୁଣାକାଳିଆ ଆଇନ ସିଙ୍ଗାପୁରର ସଂସ୍କୃତି ପାଇଁ ବିପଦ ଦର୍ଶାଇ ସମଲିଙ୍ଗୀ ଅଧିକାର କର୍ମୀମାନେ ଏହାକୁ ଉଚ୍ଛେଦ କରିବାକୁ ଦାବି କରିଆସୁଛନ୍ତି। ନ୍ୟାଶନାଲ ଡେ’ ରାଲି ଅବସରରେ ପ୍ରଧାନମନ୍ତ୍ରୀ ଲି ଉଦ୍‌ବୋଧନ ଦେଇ କହିଛନ୍ତି, ୧୫ ବର୍ଷ ତଳର ଚିନ୍ତାଧାରା ଆଉ ନାହିଁ। ସେତେବେଳେ ଏହି ଆଇନ ରହିବା ଉଚିତ ବୋଲି ସରକାର ମନେ କରିଥିଲେ। କିନ୍ତୁ ଆଜି ଉପଯୁକ୍ତ ପଦକ୍ଷେପ ନେବାର ସମୟ ଆସିଛି। ଅଧିକାଂଶ ସିଙ୍ଗାପୁରବାସୀ ଏହି ନିଷ୍ପତ୍ତିକୁ ଗ୍ରହଣ କରିବେ। ଅନେକ ସ୍ଥାନରେ ପୁରୁଷ ସମଲିଙ୍ଗୀ ବିଶେଷକରି ସ୍ବଳ୍ପ ବୟସ୍କଙ୍କ ଦ୍ୱାରା ଏହା ଆଦୃତ ହେଲାଣି। ନୂଆ ଆଇନ ପୁରୁଷ ସମଲିଙ୍ଗୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ। ତେବେ ସିଟି-ଷ୍ଟେଟ୍‌ରେ ପୂର୍ବରୁ ପ୍ରଚଳିତ ବିବାହ ବ୍ୟବସ୍ଥାରେ କୌଣସି ପ୍ରକାର ପରିବର୍ତ୍ତନ ଅଣାଯିବ ନାହିଁ। ଅର୍ଥାତ୍‌ ସାବାଳକ ପୁରୁଷ ବନ୍ଧୁ ଏକାନ୍ତରେ ପରସ୍ପର ସହ ସମ୍ପର୍କ ରଖିପାରିବେ। କିନ୍ତୁ ବିବାହ କରିପାରିବେ ନାହିଁ। ଏହି ନୂଆ ସନ୍ତୁଳନ ସିଙ୍ଗାପୁରକୁ ଏକ ସହିଷ୍ଣୁ ଓ ସମାବେଶୀ ସମାଜ ଭାବମୂର୍ତ୍ତି ବଜାୟ ରଖିବାରେ ଦୀର୍ଘ ବର୍ଷ ଧରି ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ଙ୍କ ପୁତୁରା ଲି ହୁଆନ୍‌ଓ୍ବୁ ଜଣେ ସମଲିଙ୍ଗୀ। ପ୍ରଧାନମନ୍ତ୍ରୀଙ୍କ ସାନଭାଇ ଲି ସିଏନ୍‌ ୟାଙ୍ଗ୍‌ ୨୦୧୯ରେ ଦକ୍ଷିଣ ଆଫ୍ରିକାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିଥିଲେ। ହୁଆନ୍‌ଓ୍ବୁ ସେହି ପିଙ୍କ୍‌ ଡଟ୍‌ ଇଭେଣ୍ଟରେ ନିଜ ମା’ ବାପାଙ୍କ ସହ ଯୋଗ ଦେଇଥିଲେ।
ଅନ୍ୟ ପୂର୍ବତନ ବ୍ରିଟିଶ ଉପନିବେଶଗୁଡ଼ିକରେ ପୁରୁଷ-ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ଆଇନ ରହିଛି। ମାଲେସିଆରେ ଜଣେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ସମଲିଙ୍ଗୀ ସମ୍ପର୍କ ପାଇଁ ୨୦୦୦ ଓ ୨୦୧୪ ମସିହାରେ ୨ ଥର ଜେଲ ଯାଇଥିଲେ। ସମାଲୋଚକଙ୍କ ମତରେ ସେହି ଦଣ୍ଡ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।
୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ଐତିହାସିକ ରାୟ ପରେ ଭାରତ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରିଛି। ଆଇପିସି ଦଫା ୩୭୭ ବଳରେ ପୂର୍ବରୁ ଏଭଳି ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଉଥିଲା।
ଏସିଆର ଆଉ କେତେକ ଦେଶ ସମଲିଙ୍ଗୀ ବିବାହକୁ ବୈଧତା ପ୍ରଦାନ ପାଇଁ ପଦକ୍ଷେପ ନେଇଛନ୍ତି। ୨୦୧୯ରେ ତାଇଓ୍ବାନ ଏପରି ବିବାହକୁ ସ୍ବୀକୃତି ଦେବାରେ ପ୍ରଥମ। ନିକଟରେ ଥାଇଲାଣ୍ଡ ମଧ୍ୟ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଛି।

Share