ସଜେଇ ହେଉଛି ମହିମାପୀଠ

ଢେଙ୍କାନାଳ,୨୦ା୨(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମାଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରର ବହୁ ସଂଖ୍ୟକ ମହିମା ସାଧୁ ସନ୍ନ୍ୟାସୀ ଆସି ଯୋରନ୍ଦାରେ ପହଞ୍ଚି ସାରିଲେଣି। ଏହାକୁ ନେଇ ଯୋରନ୍ଦା ଉତ୍ସବ ମୁଖର ହୋଇଉଠିଲାଣି। ମାଘମେଳା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।
ଚଳିତବର୍ଷ ମାଘ ମେଳା ଆସନ୍ତା ୨୨, ୨୩ ଓ ୨୪ ତାରିଖ ୩ ଦିନ ଧରି ଅନୁଷ୍ଠିତ ହେବ। ୨୨ ଓ ୨୩ ତାରିଖ ଦୁଇଦିନ ଧରି ବିଶ୍ୱ କଲ୍ୟାଣ ପାଇଁ ଘୃତାହୁତି କରାଯାଇ ଝାଡ଼ଦୀପ ପ୍ରଜ୍ୱଳନ ହେବ। ଚଳିତବର୍ଷ ଏହି ପ୍ରସିଦ୍ଧ ମେଳାରେ ବ୍ୟାପକ ଜନ ସମାଗମ ହେବାର ଆଶଙ୍କା କରାଯାଉଥିବାରୁ ଭଲ ବ୍ୟବସାୟ ଆଶାରେ ଉଠା ଦୋକାନୀମାନେ ଯୋରନ୍ଦାରେ ନିଜ ନିଜର ପସରା ମଲାଇବା ଆରମ୍ଭ କଲେଣି। ବିଶ୍ୱ ପ୍ରସିଦ୍ଧ ମାଘମେଳାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦେଖି ପରମ୍ପରା ଓ ଭାଇଚାରା ମଧ୍ୟରେ ମେଳା ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚାଲିଛି ା ଇତିମଧ୍ୟରେ ୨ଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ଉପଜିଲାପାଳ ସନପ କୁମାର ନନ୍ଦଙ୍କ ସମେତ ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ, ସଦର ଏସ୍‌ଡିପିଓ ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ଯୋରନ୍ଦାଠାରେ ପହଞ୍ଚି ମେଳାର ସୁପରିଚାଳନା ପାଇଁ ଅନୁଧ୍ୟାନ ଓ ଆଲୋଚନା କରିଥିଲେ। ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଉଛି। ସେହିପରି ପ୍ରଥମ କରି ଉପଖଣ୍ଡସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ। ଏଥିପାଇଁ ମଧ୍ୟ ପ୍ରସ୍ତୁତି ଜୋର୍‌ ଧରିଛି ବୋଲି ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସୂଚନା ଦେଇଛନ୍ତି। ଚଳିତବର୍ଷ ମେଳାରେ ୯ ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଜିଲାପାଳ ମନୋରଞ୍ଜନ ମଲ୍ଲିକ କହିଛନ୍ତି, ଶାନ୍ତିଶୃଙ୍ଖଳାର ସହ ପ୍ରସିଦ୍ଧ ମାଘମେଳାର ସୁପରିଚାଳନା ପାଇଁ ୨ଥର ପ୍ରସ୍ତୁତି ବୈଠକ ସରିଛି। ଚଳିତବର୍ଷ ଅଧିକ ଜନ ସମାଗମ ହେବାର ସମ୍ଭାବନା ରହିଛି। ଶାନ୍ତିଶୃଙ୍ଖଳାର ସହ ମେଳା ଶେଷ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରୁଛୁ।