ସଜେଇ ହେଉଛି ତାଳବଣିଆ ପଡ଼ିଆ

ପୁରୀ ଅଫିସ,୨୩ା୧୨: ଚଳିତ ମାସ ୨୬ ତାରିଖରେ ବିଜୁ ଜନତା ଦଳ (ବିଜେଡି) ୨୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ତା’ର ରୌପ୍ୟ ଜୟନ୍ତୀ ଉତ୍ସବ ପୁରୀରେ ଆୟୋଜନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସାରା ରାଜ୍ୟରେ ଅଭିଯାନ ଜାରି ରଖିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରତିଷ୍ଠା ଦିବସ ଆଉ ୩ଦିନ ବାକି ଥିବାବେଳେ ଚଳଚଞ୍ଚଳ ହୋଇପଡ଼ିଛି ଆୟୋଜନସ୍ଥଳ ପୁରୀ ତାଳବଣିଆ ପଡ଼ିଆ। ଏଠାରେ ବିଜେଡି ୨୫ତମ ରୌପ୍ୟ ଜୟନ୍ତୀ ପାଳନ କରିବ। ଏଥିରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ। ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବେ। ଏଥିପାଇଁ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ବିଜେଡିର ରୌପ୍ୟ ଜୟନ୍ତୀକୁ ଆନନ୍ଦ ଉଲ୍ଲାସରେ ପାଳନ କରାଯିବା ଲକ୍ଷ୍ୟ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ବୁଧବାର ଦଳର ବରିଷ୍ଠ ନେତୃବୃନ୍ଦ ଆୟୋଜନସ୍ଥଳକୁ ଆସି କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଗୁରୁବାର ନୟାଗଡ଼ ବିଧାୟକ ଅରୁଣ ସାହୁ ଏବଂ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ତାଳବଣିଆ ପଡ଼ିଆକୁ ଯାଇ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ଅବସରରେ ଯୁବ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ସୁନୀଲ ମହାନ୍ତି ଏବଂ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ଏବଂ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ତାଳବଣିଆ ପଡ଼ିଆ ପରିଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥିତି ସମୀକ୍ଷା କରିଥିଲେ।
ସୂଚନା ଅନୁଯାୟୀ, ୨୬ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ ସେଠାରୁ ତାଳବଣିଆ ପଡ଼ିଆ ଯାଇ ଦଳର ୨୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ଦଳକୁ ତୃଣମୂଳ ସ୍ତରରେ କିଭଳି ଅଧିକରୁ ଅଧିକ ମଜଭୁତ କରାଯିବା ସହ ୨୦୨୪ ନିର୍ବାଚନ ପାଇଁ ସମସ୍ତେ ଏକ ମିଶନ୍‌ ମୋଡରେ କାର୍ଯ୍ୟ କରିବେ ସେ ନେଇ ଦଳୀୟ କର୍ମୀ ଓ ନେତାଙ୍କୁ ସେ ଉଦବୋଧନ ଦେବେ। ଅନ୍ୟପଟେ ଏହି ସମାବେଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ତାଳବଣିଆ, ଶ୍ରୀମନ୍ଦିର ସଂଲଗ୍ନ ଅଞ୍ଚଳ ଓ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୋଲିସ ସୂତ୍ର୍ରରୁ ଜଣାପଡ଼ିିଛି।