ଦୀପରେ ସଜାନ୍ତୁ ଘର

ଦୀପ ଜାଳି ପରିବାର ଲୋକଙ୍କ ସହ ଖୁସି ମନାଇବାର ଏକ ବିଶେଷ ମୁହୂର୍ତ୍ତ ହେଉଛି ଦୀପାବଳି। ସେଥିପାଇଁ ପ୍ରତିବର୍ଷ ଦୀପାବଳି ଅବସରରେ ବଜାରରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଦୀପର ସମ୍ଭାର ଦେଖିବାକୁ ମିଳିଥାଏ। ଆସନ୍ତୁ ଜାଣିବା ସେମିତି କେତୋଟି ଡେକୋରେଟିଭ ଦୀପ ସମ୍ପର୍କରେ…

* ମଟ୍‌କି ଦୀପ: ମଟ୍‌କି ବା ଛୋଟ ଛୋଟ ମାଟି କୁଡ଼ୁଆ ପରି ଦେଖାଯାଉଥିବା ଆକର୍ଷଣୀୟ ଦୀପକୁ ଜାଳି ମଧ୍ୟ ଦୀପାବଳିରେ ଘରକୁ ଏକ ନିଆରା ଲୁକ୍‌ ଦେଇହେବ।

* ମାଳି ଖଚିତ ଦୀପ: ଏବେ ମାର୍କେଟ୍‌ରେ ରଙ୍ଗବେରଙ୍ଗର ମାଳି ଲାଗିଥିବା ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଦୀପ ମିଳୁଛି। ଆପଣ ଚାହିଁଲେ ଏହି ଷ୍ଟାଇଲ୍‌ର ଦୀପରେ ଘରକୁ ସଜାଇପାରିବେ।

* ଗ୍ଲାସ୍‌ କ୍ୟାଣ୍ଡେଲ୍‌ ଦୀପ: ଲଣ୍ଠନ ପରି ଅବିକଳ ନ ହେଲେ ବି ସେହି ଥିମ୍‌ରେ କାଚ ଭିତରେ ଦୀପ ରଖି ଅନେକ ସୁନ୍ଦର ସୁନ୍ଦର ଗ୍ଲାସ୍‌ କାଣ୍ଡେଲ୍‌ ଦୀପ ଏବେ ମାର୍କେଟ୍‌ରେ ଉପଲବ୍ଧ ହେଉଛି। ଦୀପାବଳିରେ ଘର ସଜାଇବା ପାଇଁ ଏହାଠୁ ବଳି ଆଉ ଭଲ ଅପ୍ସନ କ’ଣ ହୋଇପାରେ।

* ମୟୂର ଡିଜାଇନ୍‌ର ଦୀପ: ଭେଲ୍‌ଭେଟ୍‌ କପଡ଼ା ସାଙ୍ଗକୁ ରଙ୍ଗବେରଙ୍ଗର ଷ୍ଟୋନ ଖଚିତ ହୋଇ ତିଆରି ହୋଇଥିବା ଏହି ମୟୂର ଡିଜାଇନ୍‌ର ଫ୍ରେମ୍‌ରେ ଦୀପ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଥାଏ। ଏହି ଷ୍ଟାଇଲ୍‌ର ଦୀପକୁ ଦୀପାବଳି ଦିନ ସନ୍ଧ୍ୟାବେଳେ ଘରର ଡ୍ରଇଂ ରୁମ୍‌ରେ ଲଗାଇଲେ ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

* ମିରର୍‌ ଖଚିତ ଦୀପ: ମିରର୍‌ ବା ଛୋଟ ଛୋଟ କାଚର ଟୁକୁଡ଼ା ଲଗାଇ ସଜାଯାଇଥିବା ଏହି ଦୀପକୁ ଜାଳିଲେ ଘର ଖୁବ୍‌ ସାଇନିଂ କରିଥାଏ। ସେଥିପାଇଁ ଦୀପାବଳି ଅବସରରେ ଏହି ଷ୍ଟାଇଲ୍‌ ଦୀପର ବେଶ୍‌ ଚାହିଦା ରହୁଥିବା ଦେଖିବାକୁ ମିଳେ।

* ଫୁଲରେ ସଜ୍ଜିତ ଦୀପ: ଯେ କୌଣସି ଦୀପ ହେଉନା କାହିଁକି ଯଦି ଦୀପାବଳି ଦିନ ଘରେ ଫୁଲରେ ବିଭିନ୍ନ ପ୍ରକାରର ଝୋଟି କରି ତା’ମଧ୍ୟରେ ଦୀପକୁ ସଜାଇ ଥୋଇ ଦିଆଯାଏ, ତା’ହେଲେ ଏହା ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଆପଣ ଚାହିଁଲେ ଏହି ଉପାୟରେ ମଧ୍ୟ ଘରକୁ ସଜାଇପାରିବେ।

* ରଙ୍ଗୋଲିରେ ବି ଦୀପ: କେବଳ ଫୁଲରେ କାହିଁକି ଆପଣ ଚାହିଁଲେ ଘରେ ଖୁବ୍‌ ସୁନ୍ଦର ସୁନ୍ଦର ରଙ୍ଗୋଲି କରି ତା’ମଧ୍ୟରେ ଦୀପ ରଖି ଘରକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ।

* ଗ୍ଲିଟର୍‌ ଡେକୋରେଶନ ଦୀପ: ଚିକ୍‌ମିକ୍‌ କରୁଥିବା ରଙ୍ଗବେରଙ୍ଗର ଗ୍ଲିଟର୍‌ରେ ସଜ୍ଜିତ ଷ୍ଟିକର୍‌ ଦୀପ ବି ଦୀପାବଳିରେ ଘରକୁ ସଜାଇବା ପାଇଁ ଅନ୍ୟ ଏକ ବିକଳ୍ପ ଅଟେ। ଯଦି ଆପଣଙ୍କ ପାଖେ ଦୀପ ଜାଳିବା ପାଇଁ ସୁବିଧା ନାହିଁ ତା’ହେଲେ ଏହି ଷ୍ଟିକର୍‌ ଦୀପରେ ମଧ୍ୟ ଘରକୁ ସୁନ୍ଦର ଭାବେ ସଜାଇ ଦୀପାବଳିର ଆନନ୍ଦ ନେଇପାରିବେ।

ଦୀପାବଳିରେ ଘରକୁ ସଜାଇବା ପାଇଁ ଯେ କେବଳ ଦୀପ ଲଗାଇବା ଦରକାର ତାହା ନୁହେଁ, ବରଂ ଦୀପ ଜାଳିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜ୍ଜାର ପ୍ରଭାବ ବଢିଥାଏ ବୋଲି ମନରେ ବିଶ୍ୱାସ ରଖିବା ବି ଜରୁରୀ।