ଚାଇନା ଜନସଂଖ୍ୟାରେ ହ୍ରାସ

ହଂକଂ,୧୮।୧: ୧୯୬୧ ମସିହା ପରଠାରୁ ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଚାଇନାର ଲୋକସଂଖ୍ୟା କମିଛି। ଚାଇନାର ଜନସଂଖ୍ୟା ୧.୪୧୨୬୦ ବିଲିୟନ୍‌ରୁ ଗତବର୍ଷ ୧.୪୧୧୭୫ ବିଲିୟନକୁ ଖସିଥିବା ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ରିପୋର୍ଟ ଅନୁସାରେ, ଦେଶରୁ ପାଖାପାଖି ୮,୫୦,୦୦୦ ଜନସଂଖ୍ୟା କମିଛି। ୬୦ ବର୍ଷରେ ପ୍ରଥମ ଥର ଲାଗି ଚାଇନା ଜନସଂଖ୍ୟା ହ୍ରାସ ପାଇଛି। ନ୍ୟଶନାଲ ପିପୁଲ୍ସ କଂଗ୍ରେସ କୃଷି ଓ ସହରୀବ୍ୟାପାର କମିଟିର ଉପସଭାପତି କାଇ ଫାଙ୍ଗ କହିଛନ୍ତି, ଜନସଂଖ୍ୟା ଗଣନା ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞଙ୍କ ପକ୍ଷରୁ ପୂର୍ବରୁ ଏ ନେଇ ଅବଗତ କରାଯାଇଥିଲା। ଦେଶରେ ବୟସ୍କଙ୍କ ସଂଖ୍ୟା ବଢ଼ିବା ଯୋଗୁ ସରକାର ଜନସଂଖ୍ୟା ବୃଦ୍ଧି ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଥିଲେ। ଯେଉଁ ଅଭିଭାବକମାନେ ସେମାନଙ୍କର ଦ୍ୱିତୀୟ ଓ ତୃତୀୟ ଶିଶୁ ଜନ୍ମ କରିବେ, ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କିଛି ପ୍ରଦେଶ ଓ ସହରରେ ନୂଆ ନୀତି ସରକାର ଲାଗୁ କରିଥିଲେ। ଗତ ଡିସେମ୍ବରରେ ଶେନଝେନ ସହରରେ ତିନି ସନ୍ତାନ ଥିବା ପରିବାରକୁ ୫,୫୫୦ ଡଲାର ଦିଆଯିବାର ଘୋଷଣା କରାଯାଇଥିଲା।
ନିତ୍ୟବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଘରଭଡ଼ା, ସ୍କୁଲ ଫି’ ଆଦି ଦର ବଢ଼ିବା ଯୋଗୁ ଲୋକମାନେ ଏକାଧିକ ବଦଳରେ ଗୋଟିଏ ଶିଶୁ ଜନ୍ମ କରିବା ପସନ୍ଦ କରୁଛନ୍ତି। ଜାତୀୟ ପରିସଂଖ୍ୟାନ ବ୍ୟୁରୋର ମୁଖ୍ୟ କାଙ୍ଗ ୟି କହିଛନ୍ତି, ଦେଶରେ ଚାହିଦାଠାରୁ ଅଧିକ ଶ୍ରମିକ ଥିବାଯୋଗୁ ଲୋକସଂଖ୍ୟା ହ୍ରାସକୁ ନେଇ ଚାଇନା ଲୋକେ ବ୍ୟସ୍ତ ହେବା ଅନାବଶ୍ୟକ। ଗତବର୍ଷ ଚାଇନାରେ ଜନସଂଖ୍ୟା ହାର ପ୍ରତି ୧୦୦୦ରେ ୬.୭୭ ଥିବାବେଳେ ତା’ପୂର୍ବବର୍ଷ ଅର୍ଥାତ୍‌ ୨୦୨୧ରେ ଏହା ୭.୫୨ ଥିଲା। ଅନ୍ୟପକ୍ଷେ ଦେଶରେ ମୃତ୍ୟୁହାର ବୃଦ୍ଧି ପାଇଛି। ୨୦୨୨ରେ ଚାଇନାର ମୃତ୍ୟୁହାର ପ୍ରତି ୧୦୦୦ରେ ୭.୬୭ ହୋଇଛି, ଯାହା ୨୦୨୧ରେ ୭.୧୮ ଥିଲା।
ଗତବର୍ଷ ଦେଶରେ ଜିଡିପି ୩% ବୃଦ୍ଧି ପାଇଥିବାବେଳେ ୧୦ ବର୍ଷରେ ଏହା ସବୁଠାରୁ କମ୍‌ ଅଭିବୃଦ୍ଧି ବୋଲି ସରକାର କହିଛନ୍ତି। କିନ୍ତୁ ଜିଡିପି ଗ୍ରୋଥ୍‌କୁ ନେଇ ସରକାରଙ୍କ ପକ୍ଷରୁ ଯେଉଁ ପୂର୍ବାନୁମାନ କରାଯାଇଥିଲା, ତା’ଠାରୁ ଅଭିବୃଦ୍ଧି ଅଧିକ ହୋଇଛି। ଚାଇନାରେ ଉଭୟ ଅର୍ଥନୀତି ଏବଂ ଜନସଂଖ୍ୟା କ୍ଷେତ୍ରରେ ହ୍ରାସ ଘଟିଛି।

Share