Categories: ଜାତୀୟ

ସନ୍ତାନଙ୍କୁ ଜନ୍ମ ଦେବା ଅବା ନଦେବା ନିଷ୍ପତ୍ତି ମା‘ଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର…

ନୂଆଦିଲ୍ଲୀ,୨୫।୧୧: ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ଏହି ଅଧିକାରରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ବିଚାରପତି ଜ୍ୟୋତି ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଜଣେ ମହିଳାଙ୍କ ଶରୀରରେ ତାଙ୍କର ଅନିଛାକୃତ ଭାବେ କୌଣସି ଭ୍ରୁଣ ରଖାଯାଇ ପାରିବ ନାହିଁ। ଏହା ଦ୍ୱାରା ସମ୍ବିଧାନ ପକ୍ଷରୁ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ସ୍ବାଧୀନତା ଅନ୍ତର୍ଗତ ମୌଳିକ ଅଧିକାରର ଉଲ୍ଲଂଘନ ହେବ।

୩୩ ବର୍ଷ ବୟସ୍କା ମହିଳାଙ୍କର ୨୮ ସପ୍ତାହର ଭ୍ରୁଣକୁ ଗର୍ଭପାତ କରାଇବାକୁ ନେଇ ବିଚାର ସମୟରେ ଖଣ୍ଡପୀଠ ଏଭଳି କହିଛନ୍ତି। ଭ୍ରୁଣଠାରେ ଟେଟ୍ରାଲୋଜି ଅଫ୍‌ ଫାଲୋଟ୍‌ (ଟିଓଏଫ୍‌), ଆବସେଣ୍ଟ୍‌ ପ୍ଲୁମୋନାରୀ ଭାଲବ୍‌ ସିଣ୍ଡ୍ରୋମ୍‌ (ଏପିଭି) ସମେତ ଅନ୍ୟାନ୍ୟ ସମସ୍ୟା ଥିବା ଜଣାପଡ଼ିଛି।

ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟ-୧୯୭୧ର ଧାରା ୩-୨-କ ଏବଂ ଧାରା ୩-୨-ଖ ଅନୁସାରେ ଆବଶ୍ୟକ ସ୍ଥଳେ ୨୦ ସପ୍ତାହ ପୂର୍ବରୁ ଉପଯୁକ୍ତ କାରଣ ଆଧାରରେ ଗର୍ଭପାତ କରାଯିବାକୁ ଅନୁମତି ପ୍ରଦାନ କରାଯାଇଥାଏ। ମାତ୍ର ୨୪ ସପ୍ତାହ ପରେ ଏଭଳି କରିବା ଦ୍ୱାରା ସମ୍ପୃକ୍ତ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥାଏ। ଏହି ସମୟ ସୀମା ଅତିକ୍ରମ ହୋଇ ସାରିଥିବାରୁ ମେଡ଼ିକାଲ ବୋର୍ଡ ଗର୍ଭପାତ କରିବାକୁ ଅମଙ୍ଗ ହୋଇଥିଲେ।

ଫଳରେ ମହିଳା ଜଣକ ହାଇକୋର୍ଟ ଗର୍ଭପାତ ଅନୁମତି ଲାଗି ଅପିଲ୍‌ କରିଥିଲେ। ନିଜ ଇଛା ବିରୋଧରେ ଏଭଳି ବୋଝ ବୋହିବାକୁ ନାରାଜ ହେଉଥିବାରୁ ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟର ଧାରା ୫ ଅନୁସାରେ ଗର୍ଭବତୀଙ୍କ ଜୀବନ ପ୍ରତି ସଙ୍କଟ କ୍ଷେତ୍ରରେ ଡାକ୍ତର ଗର୍ଭପାତ କରାଇ ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଏନେଇ ଖଣ୍ଡପୀଠ ଏମ୍ସ୍‌ ମେଡ଼ିକାଲ ବୋର୍ଡଙ୍କୁ ମହିଳାଙ୍କ ଯାଞ୍ଚ୍‌ କରିବାକୁ କହିଛନ୍ତି।

ଏହା ସହିତ ଖଣ୍ଡପୀଠ କହିଛନ୍ତି ଯେ, ମହିଳା ଜଣକ ଭ୍ରୁଣର ସମସ୍ୟା ନେଇ ମାନସିକ ଚାପରେ ରହିଛନ୍ତି। ତେଣୁ ତାଙ୍କର ଶାରୀରିକ ସ୍ଥିତିକୁ ଦୃଷ୍ଟିରେ ରଖି ଗର୍ଭପାତ କରିବା ଲାଗି ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି।

Share