ପ୍ରେମ ନାଁରେ ପ୍ରତାରଣା, ପ୍ରେମିକଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ଆଦିବାସୀ ଯୁବତୀଙ୍କୁ ରାସ୍ତାରେ ଆକ୍ରମଣ

ତିହିଡି,୧୯।୬(କାଳନ୍ଦୀ ବେହେରା): ପ୍ରେମ ନାଁରେ ପ୍ରତାରଣା ପରେ ଜଣେ ଆଦିବାସୀ ଯୁବତୀଙ୍କୁ ସାର୍ବଜନୀନ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ଧୂଷୁରୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନ୍ୟାୟ ଦାବି କରି ଯୁବତୀ ଧୂଷୁରୀ ଥାନାରେ ଅଭିଯୋଗ ଦାଖଲ କରିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗ ଅନୁଯାୟୀ, କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ସୁମତି ନାୟକ (୨୫) ନାମକ ଜଣେ ଆଦିବାସୀ ଯୁବତୀଙ୍କ ସହ ବନ୍ତ ଥାନା ଅଧୀନ ଚାଇଁପୁର ଅଞ୍ଚଳର ଜ୍ୟୋତିପ୍ରକାଶ ମହାପାତ୍ର (୨୮) ନାମକ ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଚାରି ବର୍ଷ ଧରି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସେ ଯୁବତୀଙ୍କୁ ଛାଡ଼ି ଦେଇ ଯୋଗାଯୋଗ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି।

ଗୁରୁବାର ଅପରାହ୍ନରେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ଅସୁରାଳି ଆଇଟିଆଇ ନିକଟକୁ ଆସିଥିବା ବେଳେ, ସେଠାରେ ଉପସ୍ଥିତ ଥିବା କେତେକ ସମ୍ପର୍କୀୟ ତାଙ୍କୁ ଘେରି ଅତର୍କିତ ଭାବେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ମାଡ଼ ମାରିବା ସହ ତାଙ୍କ ଗଳାରୁ ସୁନା ଚେନ୍ ଓ ପର୍ସ ଛଡ଼ାଇ ନେଇଥିବା ସେ ଥାନାରେ ଦର୍ଶାଇଛନ୍ତି।

ଘଟଣାଟି ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଘଟିଥିବାରୁ ଦୀର୍ଘ ସମୟ ଧରି ସେଠାରେ ଭିଡ଼ ଜମିଥିଲା। ଜଣେ ଆଦିବାସୀ ମହିଳାଙ୍କ ସହ ଏଭଳି ବ୍ୟବହାର ଓ ଆକ୍ରମଣ ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହେଉଛି। ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share