Categories: ଜାତୀୟ

ମୃତକ, ଅଭିଯୁକ୍ତ ସମାନ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଥିଲେ

ମୁମ୍ବାଇ,୪ା୭: ରାଜସ୍ଥାନର ଉଦୟପୁର ଶୈଳୀରେ ମହାରାଷ୍ଟ୍ରର ଅମରାବତୀରେ ଔଷଧ ଦୋକାନୀ ଉମେଶ କୋହ୍ଲେଙ୍କୁ ଗତ ୨୧ତାରିଖରେ ଛୁରି ଭୁସି ହତ୍ୟା କରାଯିବା ଘଟଣାରେ ନୂଆ ତଥ୍ୟ ଆସିଛି। ଗିରଫ ହୋଇଥିବା ହତ୍ୟା ଅଭିଯୁକ୍ତ ୟୁସୁଫ୍‌ ଖାନ୍‌ ମୃତ ଉମେଶଙ୍କ ଜଣେ ଭଲ ବନ୍ଧୁ ଥିଲେ। ଉଭୟେ ପରସ୍ପରକୁ ୨୦୦୬ ମସିହାରୁ ଜାଣିଥିଲେ। ଏପରି କି ଉମେଶ ତାଙ୍କୁ ଅନେକ ସମୟରେ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ।

ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଇରଫାନ୍‌ ଖାନ୍‌ଙ୍କୁ ଶନିବାର ନାଗପୁରରୁ ଗିରଫ କରାଯାଇଛି। ପୋଲିସ ଜେରା ବେଳେ ଜାଣିବାକୁ ପାଇଛି ଯେ, ଅମରାବତୀ ନିବାସୀ ଶାହରୁଖ୍‌ ପଠାନ୍‌ (୨୫), ଅବ୍‌ଦୁଲ୍‌ ଥୋଉଫିକ୍‌ (୨୪), ସୋହୈବ୍‌ ଖାନ୍‌ (୨୨), ଆତିବ୍‌ ରସିଦ୍‌ (୨୨) ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ମୁଦ୍ଦାସିର ଅହମ୍ମଦ (୨୨) ଜଣେ ମୌଲାନା। ୟୁସୁଫ୍‌ ଖାନ୍‌ (୪୪) ଜଣେ ପ୍ରାଣୀ ଚିକିତ୍ସକ। ଅମରାବତୀରେ ତାଙ୍କର ଏକ କ୍ଲିନକ୍‌ ରହିଛି। ଉମେଶଙ୍କୁ ହତ୍ୟା ପାଇଁ ଇର୍‌ଫାନ ଷଡ଼ଯନ୍ତ୍ର ରଚିବା ସହ ଏହି ଅଭିଯୁକ୍ତମାନଙ୍କୁ ଏଥିରେ ସାମିଲ କରିଥିଲେ। ହତ୍ୟା ପାଇଁ ଟଙ୍କା ଦେବା ଓ କାଣ୍ଡ ଭିଆଇବା ପରେ କାର୍‌ରେ ସୁରକ୍ଷିତ ଭାବେ ଅନ୍ୟତ୍ର ନେଇଯିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଅଭିଯୁକ୍ତମାନଙ୍କ ମଧ୍ୟରୁ କାହାରି ଆପରାଧିକ ପୃଷ୍ଠଭୂମି ନ ଥିଲା। ଉମେଶଙ୍କ ଔଷଧ ଦୋକାନରେ ୟୁସୁଫ୍‌ କାମ କରୁଥିଲେ। ଉଭୟେ ଗୋଟିଏ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଥିଲେ। ଭାଜପାର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟକୁ ଉମେଶ ଉକ୍ତ ଗ୍ରୁପ୍‌ରେ ଶେୟାର କରିଥିଲେ। ୟୁସୁଫ୍‌ ଏଥିରେ କ୍ଷୁବ୍ଧ ହୋଇ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ଉମେଶଙ୍କ ଭାଇ ମହେଶ କୋହ୍ଲେ ରବିବାର କହିଛନ୍ତି।

 

Share