ଭୁବନେଶ୍ୱର,୨୫।୧୧: ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡିର ସିନିୟର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ମଙ୍ଗଳବାର ଦେବାଶିଷ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଦେବାଶିଷ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ଦଳ ଉପରେ ଅସନ୍ତୋଷ ଥିଲେ। ତେବେ ଗୁରୁତ୍ୱ ଦେଉନଥିବାରୁ ପଦବୀ ଛାଡ଼ିଥିବା ଇସ୍ତଫାପତ୍ରରେ ଦେବାଶିଷ ଉଲ୍ଲେଖ କରିଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଦର୍ଶାଇଛନ୍ତି ଦେବାଶିଷ। ଦେବାଶିଷ କହିଛନ୍ତି, ବିଜୁ ଜନତା ଦଳ ଏବେ ବ୍ୟୁରୋକ୍ରାଟିକ ଦଳ ହୋଇଯାଇଛି। ବିଜୁ ବାବୁଙ୍କ ଆଦର୍ଶରେ ଆଉ ବିଜେଡି ପରିଚାଳିତ ହେଉନାହିଁ। ଏବେ ଚର୍ଚ୍ଚା ହେଉଛି କି ଦେବାଶିଷ ସାମନ୍ତରାୟ ଖୁବ ଶୀଘ୍ର ବିଜେଡି ଛାଡି ଭାଜପାରେ ଯୋଗ ଦେବେ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଯେତେବେଳେ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ବିଦା କରିଥିଲା ବିଜେଡି ସେତେବେଳେ ଏହାକୁ କ ଭାଷାରେ ନିନ୍ଦା କରିଥିଲେ ଦେବାଶିଷ ସାମନ୍ତରାୟ। ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରି ଦେବାଶିଷ କହିଥିଲେ, ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ କହିଛନ୍ତି। ଟିକେଟ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ ଦେଇନି ଦଳ। ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ଅଛି ବୋଲି ଦେବାଶିଷ କହିଥିଲେ।
କେବଳ ଏତିକି ନୁହେଁ ଦେବାଶିଷ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ସସ୍ପେଣ୍ଡ କରିବା କଥା ନେଇ ମଧ୍ୟ ମୁହଁ ମଧ୍ୟ ଖୋଲିଥିଲେ। ସେ କହିଥିଲେ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସ୍ପେଣ୍ଡ କରିବା ଠିକ ନୁହେଁ। ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି। ପ୍ରଫୁଲଙ୍କୁ ବିଜେଡିରୁ ସସ୍ପେଣ୍ଡ କରିବା ଭୁଲ ନିଷ୍ପତ୍ତି। ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡ଼ି ଚାଲି ଯାଉଛନ୍ତି। ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ।


