ପଚା ମାଛ ଖାଇ ଝାଡ଼ାବାନ୍ତିରେ ୨ ମୃତ, ୧୪ ଆକ୍ରାନ୍ତ

ଧରାକୋଟ,୧୬ା୫(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ଧରାକୋଟ ବ୍ଲକ ନାକତିରି ଗାଁରେ ପଚା ମାଛ ଖାଇ ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକ ହେଲେ ଲାଇବାରିଆ ଗମାଙ୍ଗ ଓ ତାମଙ୍ଗ ମଣ୍ଡକ। ଏହି ଗାଁକୁ ରାସ୍ତା ନ ଥିବା ବେଳେ ସଚେତନତା ଅଭାବରୁ ଲୋକମାନେ ଏଣେତେଣ ଖାଦ୍ୟ ଖାଇ ରୋଗଗ୍ରସ୍ତ ହେଉଛନ୍ତି। ଗତ ସପ୍ତାହରେ ଗାଁ ନାଳରୁ ମାଛ ଧରି ଲୋକମାନେ ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏଥିରେ ପୂର୍ବରୁ ଲାଇବାରିଆଙ୍କ ମୃତ୍ୟୁ ଘଟିଥିଲା। ସୋମବାର ତାମଙ୍ଗଙ୍କ ମୃତ୍ୟୁ ହୋଇଛି। ଖବର ପାଇ ସ୍ଥାନୀୟ ମେଡିକାଲ ଟିମ ଉକ୍ତ ଗାଁରେ ପହଞ୍ଚି   ଗୁରୁତରମାନଙ୍କୁ ଚିକିତ୍ସା ଆରମ୍ଭ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରି କୂଅରେ ବ୍ଲିଚିଂ ପକାଇଛାନ୍ତି। ଚିକିତ୍ସା ପରେ ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ଅଛନ୍ତି। ତେବେ ପଚାମାଛ ଖାଇବାରୁ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତର କହିଥିବା ବେଳେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହୋଇଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି।