ମୃତ୍ୟୁଯନ୍ତା

ଡ. ଜୟକୃଷ୍ଣ ପାଣିଗ୍ରାହୀ

ମାନବ ସଭ୍ୟତାର ଅଭ୍ୟୁଦୟ ଏବଂ ବିବର୍ତ୍ତନ ପ୍ରକ୍ରିୟାରେ ବିବିଧ କ୍ଷେତ୍ରରେ ଯେଉଁସବୁ ପ୍ରଗତିଶୀଳ ବିପ୍ଳବର ସୂତ୍ରପାତ ହୋଇଛି, ସେଥିରେ ପ୍ରମୁଖ ରୂପେ ଅନ୍ତର୍ଭୁକ୍ତ ରହିଛି କୃଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ଏବଂ ଜୈବ ପ୍ରଯୁକ୍ତି କ୍ଷେତ୍ରର ଅଭୂତପୂର୍ବ ଅଗ୍ରଗତି I ନିର୍ଦ୍ଦିଷ୍ଟ ରୂପେ ଶିଳ୍ପାୟନ ପ୍ରସଙ୍ଗ ଉପରେ ଆଲୋକପାତ କଲେ ପ୍ରାଚୀନ ଲୌହଯୁଗରେ ଧାତୁର ବ୍ୟବହାରଠାରୁ ‘ବାଷ୍ପ’ ଶକ୍ତି, ତତ୍ପରେ ବିଦ୍ୟୁତ୍‌ ଶକ୍ତି, ଆଉ ସମ୍ପ୍ରତି ସୂଚନା ପ୍ରଯୁକ୍ତିର ବହୁଳ ବ୍ୟବହାର ପ୍ରଚଳିତ ସାମାଜିକ-ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ଶୀର୍ଷସ୍ତରକୁ ଉନ୍ନୀତ କରିଛି I କିନ୍ତୁ ଏସବୁ ପ୍ରକ୍ରିୟାର ପ୍ରଚ୍ଛଦରେ ଆମ ଜ୍ଞାତସାରରେ ଘଟୁଥିବା ଏପରି କିଛି ଘଟଣା ଉପରୁ ଦୃଷ୍ଟି ହଟାଇ ଆମେ ଯେଉଁ ଅସହନୀୟ ମାର୍ଗରେ ପ୍ରଗତି ହାସଲ କରୁଛେ, ତାହା ଏବେ ’ଆପଣା ହସ୍ତେ ଜିହ୍ବା ଛେଦୀ’ ସଦୃଶ ହୋଇଛି I ଆମେରିକାରୁ ପ୍ରକାଶିତ ପ୍ରସିଦ୍ଧ ଭେଷଜ ପତ୍ରିକା ‘ଲାନ୍‌ସେଟ୍‌’ର ପ୍ରଦୂଷଣ ଓ ସ୍ବାସ୍ଥ୍ୟ ଉପରେ ପ୍ରସ୍ତୁତ ସଦ୍ୟ ରିପୋର୍ଟ ଆମକୁ ଚେତାଇ ଦେଇଛି I
ଲାନ୍‌ସେଟ୍‌ କମିଶନ ପ୍ରଦତ୍ତ ଏହି ରିପୋର୍ଟ ପ୍ରକାଶ କରିଛି ଯେ, ୨୦୧୯ରେ ବିଶ୍ୱସ୍ତରରେ ୯୦ ଲକ୍ଷ ଲୋକଙ୍କର ପ୍ରଦୂଷଣଜନିତ ରୋଗରେ ଅକାଳ ମୃତ୍ୟୁ ଘଟିଛି, ଯାହା ସମଗ୍ର ମୃତ୍ୟୁସଂଖ୍ୟାର ୧୬%; ଅର୍ଥାତ୍‌ ପ୍ରତି ୬ଟି ମୃତ୍ୟୁରେ ଜଣଙ୍କର ମୃତ୍ୟୁ ନିମନ୍ତେ ପ୍ରଦୂଷଣ ହିଁ ଦାୟୀ I ଏଥିମଧ୍ୟରୁ ସର୍ବାଧିକ ୬୭ ଲକ୍ଷ ଲୋକ ଉଭୟ ବାହ୍ୟ ବାୟୁମଣ୍ଡଳୀୟ ଏବଂ ଗୃହମଧ୍ୟସ୍ଥ ବାୟୁ ପ୍ରଦୂଷଣ ପ୍ରଭାବରୁ, ୧୪ ଲକ୍ଷ ଜଳ ପ୍ରଦୂଷଣ କାରଣରୁ ଏବଂ ୬ ଲକ୍ଷ ଜୀବନ ସିସା ପ୍ରଦୂଷଣରେ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି I ଦୁଃଖର ବିଷୟ ଯେ, ଭାରତ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ରୂପେ ଏହି ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି, ଯେଉଁଠି ୧୬ ଲକ୍ଷ ଲୋକ ବାୟୁପ୍ରଦୂଷଣ, ୫ ଲକ୍ଷ ଲୋକ ଜଳପ୍ରଦୂଷଣ ଏବଂ ସମୁଦାୟ ୨୩ ଲକ୍ଷ ଲୋକ ପ୍ରଦୂଷଣ କବଳରେ ଇହଧାମ ତ୍ୟାଗ କରିଛନ୍ତି I ଏହି ସୂଚୀରେ ୨୧ ଲକ୍ଷ ମୃତ୍ୟୁ ସହ ଚାଇନା ଦ୍ୱିତୀୟ ସ୍ଥାନରେ ରହିଛି I ଅକାଳ ମୃତ୍ୟୁର ଅନ୍ୟ ସବୁ କାରଣ ଅପେକ୍ଷା ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ, ଯାହା ଧୂମପାନ ପ୍ରଭାବିତ ମୃତ୍ୟୁ ସହ ସମାନ। ପ୍ରଦୂଷଣ ଏବେ ମୃତ୍ୟୁଯନ୍ତା ପାଲଟିଛି।
ଶିଳ୍ପାୟନ ଏବଂ ସହରୀକରଣ ଯୋଗୁ ସୃଷ୍ଟ ଆଧୁନିକ ପ୍ରଦୂଷଣ ସମ୍ପର୍କିତ କାରଣରୁ ସଙ୍ଘଟିତ ଏହି ମୃତ୍ୟୁ ୨୦୧୫ ଠାରୁ ୭% ଏବଂ ୨୦୦୦ ପରଠାରୁ ୬୬%ରୁ ଅଧିକ ବୃଦ୍ଧି ପାଇଛି I ବିଶେଷକରି ସ୍ବଳ୍ପ ଆୟକାରୀ ଏବଂ ମଧ୍ୟବିତ୍ତ ଦେଶଗୁଡ଼ିକରେ ପ୍ରଦୂଷଣର ମାତ୍ରା ଅତି ଉଚ୍ଚସ୍ତରରେ ଥାଏ ଏବଂ ଏହାର ପ୍ରଭାବ ଅଧିକ ଗମ୍ଭୀର, ଯେଉଁଥିପାଇଁ ସମଗ୍ର ମୃତ୍ୟୁର ୯୨% ହିଁ ଏଠାରେ ରେକର୍ଡ କରାଯାଇଛି I
ସେମାନଙ୍କ ଆର୍ଥିକ କ୍ଷତିର ଭାର ମଧ୍ୟ ବିକଶିତ ରାଷ୍ଟ୍ରମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ହୋଇଥାଏ I
ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭାରତର ୯୩% ଅଞ୍ଚଳରେ ପ୍ରଦୂଷଣର ମାତ୍ରା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶାବଳୀଠାରୁ ଯଥେଷ୍ଟ ଅଧିକ I ଏବେ ବିଶ୍ୱର ୧୦୦ଟି ପ୍ରମୁଖ ପ୍ରଦୂଷିତ ସହର ସୂଚୀରେ ୬୩ଟି ଭାରତୀୟ ସହର ସ୍ଥାନ ହାସଲ କରି ଦେଶର ପ୍ରଦୂଷଣର ଚିତ୍ର ଉପସ୍ଥାପନ କରୁଛନ୍ତି I ଆମେରିକାର ଏକ ଗବେଷକ ଗୋଷ୍ଠୀ ପୂର୍ବବର୍ଷ ପ୍ରକାଶ କରିଥିଲେ ଯେ, ଉତ୍ତର ଭାରତରେ ୪୮କୋଟିରୁ ଅଧିକ ଲୋକ ‘ବିଶ୍ୱର ସର୍ବାଧିକ ସ୍ତରର ବାୟୁ ପ୍ରଦୂଷଣ’ର ସମ୍ମୁଖୀନ ହେଉଛନ୍ତି I ୨୦୧୯ରେ ଭାରତର ବାୟୁମଣ୍ଡଳରେ ହାରାହାରି କଣିକା ପଦାର୍ଥର ପରିମାଣ ଥିଲା ଘନମିଟର ପ୍ରତି ୭୦.୩ ମାଇକ୍ରୋଗ୍ରାମ୍‌, ଯାହା ଦୁନିଆରେ ସର୍ବାଧିକ I ଗତ ସେପ୍ଟେମ୍ବରରେ ସିକାଗୋ ୟୁନିଭର୍‌ସିଟିର ‘ଶକ୍ତି ନୀତି ପ୍ରତିଷ୍ଠାନ’ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଯଦି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ନିର୍ଦ୍ଦେଶାବଳୀ ଆଧାରରେ ପ୍ରଦୂଷଣରେ ହ୍ରାସ ଘଟନ୍ତା, ତେବେ ରାଜଧାନୀ ଦିଲ୍ଲୀର ବାସିନ୍ଦାମାନେ ଆଉ ଅଧିକ ୧୦ ବର୍ଷ ଜିଇବାର ସୌଭାଗ୍ୟ ଅର୍ଜନ କରନ୍ତେ I
ଏବେ ପୃଥିବୀର ୧୦ ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଦୂଷିତ ବାୟୁ ନିଃଶ୍ୱାସରେ ଗ୍ରହଣ କରି ଶ୍ୱାସକ୍ରିୟାଜନିତ ବିଭିନ୍ନ ରୋଗ, ଆଲର୍ଜି, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ, ମସ୍ତିଷ୍କାଘାତ ଏବଂ କର୍କଟ ସହିତ ବହୁବିଧ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି I ପାନୀୟ ଜଳ ମାଧ୍ୟମରେ ବିବିଧ ରାସାୟନିକ ସାର, କୀଟନାଶକ, ନାଇଟ୍ରେଟ୍‌, ଫସ୍‌ଫେଟ୍‌, ଔଷଧୀୟ ଦ୍ରବ୍ୟ, ମାଇକ୍ରୋ ପ୍ଲାଷ୍ଟିକ୍‌, ମଳମୂତ୍ର, ବର୍ଜ୍ୟବସ୍ତୁ ଏପରି କି ରେଡିଓଆକ୍ଟିଭ ପଦାର୍ଥ ତଥା ବୀଜାଣୁ, ଭୂତାଣୁ, ଏକକୋଷୀ ପ୍ରାଣୀ ଏବଂ ଅନ୍ୟ ପରଜୀବୀ ଆମ ଶରୀରରେ ପ୍ରବେଶ କରନ୍ତି I କ୍ଷତିକାରକ ରାସାୟନିକ ପଦାର୍ଥ ଏବଂ କୀଟନାଶକ ପ୍ରଭୃତି ମଧ୍ୟ କୃଷିଜାତ ପଦାର୍ଥ ବା ଖାଦ୍ୟ ମାଧ୍ୟମରେ ଶରୀର ଭିତରକୁ ଯାଆନ୍ତି I
ସେହିପରି ଉଜ୍ଜ୍ୱଳ ଆଲୋକ, ଉଚ୍ଚ ଡେସିବଲ ଶବ୍ଦ, ଅତ୍ୟଧିକ ଉତ୍ତାପ, ବର୍ଜ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଏବଂ ତେଜସ୍କ୍ରିୟ ପଦାର୍ଥ ସବୁର ମଧ୍ୟ ଜୀବଜଗତ ଉପରେ କ୍ଷତିକାରକ ପ୍ରଭାବ ରହିଛି I
ଏପରି ବିଭୀଷିକାମୟ ପରିସ୍ଥିତିରେ ପ୍ରମୁଖ ଆଧୁନିକ ପ୍ରଦୂଷକ ପଦାର୍ଥ ଏବଂ ପଦ୍ଧତି ଉପରେ ଅଙ୍କୁଶ ଲଗାଇ ଅବକ୍ଷୟିତ ପରିବେଶର ଗୁଣାତ୍ମକ ମାନକୁ ଊଦ୍ଧର୍‌ବଗାମୀ କରିବାର ପ୍ରୟାସ ଏକାନ୍ତ ବାଞ୍ଛନୀୟ I ଏହା ବିଶ୍ୱସ୍ତରୀୟ ତଥା ଜାତୀୟ ପରିବେଶ ନୀତି ଓ କାର୍ଯ୍ୟକ୍ରମଠାରୁ ସ୍ଥାନୀୟ ଲୋକଙ୍କ ସଚେତନତା ଜାଗରଣ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବା ଆବଶ୍ୟକ I ପ୍ରଦୂଷଣରହିତ ସବୁଜ ଟେକ୍ନୋଲୋଜି ବା ପ୍ରଯୁକ୍ତିର ପ୍ରୟୋଗ ଏବଂ ସମସ୍ତ ଜୀବାଶ୍ମ ଇନ୍ଧନକୁ ପରିତ୍ୟାଗ କରି ବିକଳ୍ପ ସ୍ବଚ୍ଛ, ଅକ୍ଷୟ ଶକ୍ତିକୁ ଦ୍ରୁତବେଗରେ ବିନିଯୋଗ କଲେ ହିଁ ପ୍ରଦୂଷଣ ସମସ୍ୟାର ସମାଧାନ ହୋଇପାରିବ I ପ୍ରଦୂଷଣକୁ ରୋକିବା ନିମନ୍ତେ ଏକ ପ୍ରଭାବଶାଳୀ ରଣନୀତି ମାଧ୍ୟମରେ ଯୋଜନା ପ୍ରଣୟନ ଓ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି I ଆମ ନିକଟରେ ଯଥେଷ୍ଟ ଆଇନକାନୁନ୍‌ ଉପଲବ୍ଧ ଅଛି; କିନ୍ତୁ ଅଭାବ ରହୁଛି ଏସବୁର କଠୋର କାର୍ଯ୍ୟକାରିତା ଏବଂ ଏଥିପାଇଁ ପ୍ରୟୋଜନୀୟ ପ୍ରତିବଦ୍ଧତା I ଲାନ୍‌ସେଟ୍‌ର ଗବେଷଣାଲବ୍ଧ ତଥ୍ୟ ରାଜନୈତିକ ନେତୃତ୍ୱ, ପ୍ରଶାସନିକ ବ୍ୟବସ୍ଥା, ନ୍ୟାୟପାଳିକା, ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ସମସ୍ତଙ୍କ ନିମନ୍ତେ ଏକ ସତର୍କବାଣୀ ସଦୃଶ କାର୍ଯ୍ୟ କରି ଉଭୟ ପରିବେଶ ଏବଂ ଜୀବଜଗତ ସ୍ବାସ୍ଥ୍ୟ ପ୍ରତି ଆମ ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଘଟାଉ, ଏହା ହିଁ ଆଜିର ଆହ୍ବାନ Iପ୍ରଦୂଷଣ ପରି ପ୍ରକୃତିର ଧ୍ବଂସ ସାଧନ କରୁଥିବା ପ୍ରକ୍ରିୟାସବୁର ବର୍ଜନ କରିବା ଶ୍ରେଷ୍ଠ ପନ୍ଥା ହେବ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri