Categories: ମେଟ୍ରୋ

ଜାତୀୟ ରାଜପଥରେ ମୃତ୍ୟୁର ଆଁ

ଭୁବନେଶ୍ୱର, ୨୧।୮ (ବ୍ୟୁରୋ): କଟକ-ଭୁବନେଶ୍ୱର ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଛି। ନଖରା, ପଳାଶୁଣି ପୋଲଠାରୁ ଖଣ୍ଡଗିରି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ମୃତ୍ୟୁର ଆଁ ମେଲି ରହିଛି। ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ଲୋକେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ସହରର ପ୍ରବେଶ ପଥ କୁହାଯାଉଥିବା ଗଙ୍ଗୁଆ ନାଳ ଉପରେ ଥିବା ପଳାଶୁଣି ପୋଲର ଅବସ୍ଥାକୁ ଦେଖିଲେ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ବାରି ହୋଇପଡୁଛି। ଭୁବନେଶ୍ୱର ଆଡୁ କଟକ ଯିବାବେଳେ ବାମ ପଟ ପୋଲର ଆରମ୍ଭରୁ କଂକ୍ରିଟ୍‌ ଉଠି ରଡ୍‌ଗୁଡ଼ିକ ଉପରମୁହାଁ ହୋଇ ରହିଛି। ପାଖାପାଖି ୩ ମାସ ହେବ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଆଇନଜୀବୀ ବାସୁଦେବ ଅମିତ୍‌ ତେଜାବ କହିଛନ୍ତି, ଜାତୀୟ ରାଜପଥର ସବୁଆଡେ ଖାଲଖମା ଭର୍ତ୍ତି ହୋଇଗଲାଣି। ଅଭିଯୋଗ କଲେ ସୁଫଳ ମିଳୁନି। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷର ଜଣେ ଅଧିକାରୀ କହିଛନ୍ତି, ଶୀଘ୍ର ମରାମତି କରାଯିବ।