ମୃତ୍ୟୁମୁହଁରେ ପଡ଼ିପାରନ୍ତି ୮୦ ହଜାର

ମୁମ୍ବାଇ, ୨ା୧: ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ସ୍ପଷ୍ଟ ହୋଇସାରିଥିବାବେଳେ ସଂକ୍ରମଣ ବ୍ୟାପକ ହେବ ଏବଂ ଏହା ବେଶ୍‌ ଘାତକ ସାବ୍ୟସ୍ତ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ୮୦ ଲକ୍ଷରୁ ଅଧିକ ଆକ୍ରାନ୍ତ ହେବେ ଏବଂ ୮୦ ହଜାରରୁ ଊର୍ଦ୍ଧ୍ୱଙ୍କ ଜୀବନ ଯାଇପାରେ ବୋଲି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଡ. ପ୍ରଦୀପ ବ୍ୟାସ କହିଛନ୍ତି। ଯଦି ତୃତୀୟ ଲହରରେ ୮୦ ଲକ୍ଷ କୋଭିଡ୍‌ ମାମଲା ଆସେ ତେବେ ୧ ପ୍ରତିଶତ ହାରରେ ମୃତ୍ୟୁସଂଖ୍ୟା ୮୦ ହଜାର ରହିପାରେ। ତେଣୁ ପ୍ରଶାସନିକ ଅଧିକାରୀମାନେ ଓମିକ୍ରନ ସଂକ୍ରମଣ କିମ୍ବା ତୃତୀୟ ଲହରକୁ ହାଲୁକା ଭାବେ ନ ନେଇ ଏଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଟିକା ନେଇ ନ ଥିବା ଏବଂ ବିଭିନ୍ନ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଏଥିରେ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି। ଅଧିକରୁ ଅଧିକ ଟିକାକରଣ କରି ଜୀବନ ବଞ୍ଚାଇବାକୁ ପ୍ରାଥମକିତା ଦିଆଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଓମିକ୍ରନ ସହ ରାଜ୍ୟରେ ଡେଲ୍ଟାର ପ୍ରକୋପ ମଧ୍ୟ ଜାରି ରହିଛି। କରୋନା ମାମଲା ମଧ୍ୟରୁ ୭୦ ପ୍ରତିଶତ ଡେଲ୍ଟାରେ ସଂକ୍ରମିତ ହୋଇଥିବା ଜିନୋମ୍‌ ସିକ୍ୱେନ୍ସିଂରୁ ଜଣାପଡ଼ିଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ୧୦ରୁ ଅଧିକ ମନ୍ତ୍ରୀ ଏବଂ ପ୍ରାୟ ୨୦ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି।

Share