ବସ୍ତା ବିଧାୟକଙ୍କୁ ହତ୍ୟା ଧମକ

ବସ୍ତା,୧୩।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀ ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ସାରା ଜିଲାରେ ଏହା ଚର୍ଚ୍ଚା ବିଷୟ ପାଲଟିଛି। ଏ ସଂକ୍ରାନ୍ତରେ ବିଧାୟକ ସାହୁ ଏସ୍‌ପି ସୁଧାଂଶୁ ମିଶ୍ରଙ୍କୁ ଅବଗତ କରାଇଛନ୍ତି।

ବିଧାୟକ ସାହୁଙ୍କ ମୋବାଇଲକୁ ମଙ୍ଗଳବାର ସକାଳ ୮ଟା ବେଳେ ଏକ ଧମକପୂର୍ଣ୍ଣ ଫୋନ (ନଂ. ୮୦୯୩୮୯୯୦୮୮)  କଲ୍‌ ଆସିଥିଲା। ଟଙ୍କା ନ ଦେଲେ ସୁପାରୀ କିଲର ସମେତ ୩ଜଣ କାର୍‌ରେ ଆସି ତାଙ୍କୁ ହତ୍ୟା କରିବେ ବୋଲି ଧମକ ମିଳିଥିଲା। ବିଧାୟକ ସାହୁ ଏସ୍‌ପିଙ୍କୁ ଜଣାଇବା ପରେ ପୋଲିସ ଏହାର ପ୍ରାଥମିକ ତଦନ୍ତ କରିଥିଲା। ଏହି ଫୋନ କଲ୍‌ ଯାଜପୁର ଅଞ୍ଚଳରୁ ଆସିଥିବା ପୋଲିସ ଜାଣିବା ପରେ ଯାଜପୁର ପୋଲିସକୁ ଜଣାଇଥିଲା। ଏହି ଘଟଣାର ଅନୁସନ୍ଧାନ କରି ସମ୍ପୃକ୍ତି ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ଯାଜପୁର ପୋଲିସ ପଚରାଉଚୁରା କରୁଥିବା ସୂଚନା ମିଳିଛି।