୧୦ବର୍ଷ ପରେ ହେଲା ଦଶାହ କର୍ମ

ଧୋଡ୍ରା, ୧।୪(ଡି.ଏନ୍‌.ଏ.): ଦଶବର୍ଷ ହେଲା ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ସଦର ଗାଁର ଅସମନ କଲାର। ଦୀର୍ଘ ଦିନ ଧରି ଅପେକ୍ଷା କରିବା ପରେ ଫେରିବାର ଆଶା ଛାଡ଼ି ସ୍ତ୍ରୀ ଭଗବତୀ ହାତରୁ ଶଙ୍ଖା ଓ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଛନ୍ତି। ପରିବାର ଲୋକେ ଶୁକ୍ରବାର ଅସମନଙ୍କ ଦଶାହ କର୍ମ କରିଛନ୍ତି।
ଧାମନାଗୁଡ଼ାର ଅସମନଙ୍କର ସ୍ତ୍ରୀ ଭଗବତୀ, ୨ ପୁଅ ଏବଂ ୫ଟି ଝିଅ। କାମ ନ ମିଳିବାରୁ ପେଟକୁ ଦାନା ଯୋଗାଇବା ପାଇଁ ୨୦୧୩ରେ ଶାଳକ ମଙ୍ଗରା କଲାରଙ୍କ ସହ ଦାଦନ ଖଟିବାକୁ ଘରୁ ବାହାରିଥିଲେ। ଉଭୟେ ପ୍ରଥମେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଯାଇଥିଲେ। ସେଠାରୁ ଅସମନଙ୍କୁ କାମ ଯୋଗାଉଥିବା ମାଲିକ ଆସି ନେଇଗଲେ। ସେହି ଦିନଠାରୁ ଅସମନଙ୍କ ସହ ମଙ୍ଗରାଙ୍କ ଦେଖା ସାକ୍ଷାତ ହୋଇନାହିଁ। ପରେ ମଙ୍ଗରା ସେଠାରୁ ଫେରି ଆସିଥିଲେ ଏବଂ ଅସମନଙ୍କ କିଛି ଖୋଜ ଖବର ନ ଥିବା କହିଥିଲେ। ବାରମ୍ବାର ଅସମନଙ୍କୁ ଖୋଜିବାକୁ ଯିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିଲା ନାହିଁ। ପରବର୍ତ୍ତୀ ସମୟରେ ଘଟଣାର ୩ବର୍ଷ ପରେ ଡାବୁଗାଁ ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। କିନ୍ତୁ କିଛି ସୁଫଳ ମିଳି ନ ଥିଲା। ଏହା ମଧ୍ୟରେ ୧୦ବର୍ଷ ବିତିଗଲା। ୧୦ ବର୍ଷ ପରେ ପୁଣିଥରେ ଅସମନକୁ ଖୋଜି ଆଣିବାକୁ ମଙ୍ଗରାଙ୍କୁ କୁହାଯାଇଥିଲା। ସେ କିନ୍ତୁ ଖୋଜି ପାରିବେ ନାହିଁ ବୋଲି ସ୍ପଷ୍ଟଭାବେ କହିଥିଲେ। ପରେ ଅସମନଙ୍କ ପରିବାର ପକ୍ଷରୁ ତାଙ୍କ ସମାଜର ସଭା ବସିଥିଲା। ନିଖୋଜର ୧୦ ବର୍ଷ ବିତିଯାଇଥିବାରୁ ଅସମନଙ୍କୁ ମୃତ ଭାବି ତାଙ୍କର ଦଶାହ କାର୍ଯ୍ୟ କରାଯିବ। ଯଦି ଭବିଷ୍ୟତରେ ଅସମନ ଘରକୁ ଫେରିଆସନ୍ତି ତା’ହେଲେ ଭଗବତୀଙ୍କ ସହ ତାଙ୍କର ପୁନଃ ବିବାହ କରାଯିବ ବୋଲି ସମାଜ ପକ୍ଷରୁ ନିଷ୍ପତ୍ତି ନିଆଗଲା। ଉକ୍ତ ନିଷ୍ପତ୍ତି ଅନୁଯାୟୀ, ଶୁକ୍ରବାର ଅସମନଙ୍କ ଦଶାହ କାର୍ଯ୍ୟ କରାଯାଇଛି।