ସାହିତି୍ୟକ ଗଗନେନ୍ଦ୍ରନାଥ ଦାଶଙ୍କ ପରଲୋକ

ଭୁବନେଶ୍ୱର, ୨୦।୧୧ (ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ତଥା ସମାଲୋଚକ ଗଗନେନ୍ଦ୍ରନାଥ ଦାଶ (୮୨) ଙ୍କର ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଭୁବନେଶ୍ୱରସ୍ଥିତ ତାଙ୍କ ଝିଅଙ୍କ ଘରେ ଚିକିତ୍ସିତ ହେଉଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଯାଜପୁର ଜିଲା ବଡ଼ଚଣା ଥାନା କଡ଼େଇ ଗ୍ରାମରେ ୧୯୪୦ ନଭେମ୍ବର ୨୫ରେ ଜନ୍ମିତ ଗଗନେନ୍ଦ୍ରଙ୍କ ମା’ଙ୍କ ନାମ ସୁଲୋଚନା ଦେବୀ ଓ ପିତାଙ୍କ ନାମ ବାଞ୍ଛାନିଧି ଦାଶ। ରେଭେନ୍‌ଶା କଲେଜରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସମ୍ମାନ ସହ ସ୍ନାତକ ଓ ଶାନ୍ତିନିକେତନ ବିଶ୍ୱଭାରତୀରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପ୍ରଫେସର ଭାବେ ଅବସର ନେଇଥିଲେ। ତାଙ୍କର ବୈପ୍ଲବିକ ଦୃଷ୍ଟିକୋଣ ଓ ମୁକ୍ତଚିନ୍ତାଧାରା ନିମନ୍ତେ ସେ ଓଡ଼ିଶାର ବୌଦ୍ଧିକ ଜଗତରେ ଆଲୋଡ଼ନ ସୃଷ୍ଟି କରିଯାଇଛନ୍ତି। ବୈଜ୍ଞାନିକ ରୀତିରେ ରୂପଭିତ୍ତିକ ସଂରଚନାତ୍ମକ ଓଡ଼ିଆ ବ୍ୟାକରଣ ରଚନା କ୍ଷେତ୍ରରେ ସେ ଥିଲେ ଅନ୍ୟତମ ଅଗ୍ରସୂରୀ। ଓଡ଼ିଆ ଭାଷା ଓ ସାରସ୍ବତସାଧକ ଭାବେ ଜୀବନବ୍ୟାପୀ ସାହିତ୍ୟ ସର୍ଜନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୧ରେ ତାଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଦିଆଯାଇଛି। ତାଙ୍କ ଉଲ୍ଲେଖନୀୟ ସାହିତ୍ୟ ସମ୍ଭାର ମଧ୍ୟରେ କନ୍‌ଭରସେସନ୍‌ ଓରିଆ (୧୯୭୨), ଜନଶ୍ରୁତି କାଞ୍ଚତ୍କାବେରୀ (୧୯୭୯), ଓରିଶା ଏ କ୍ଲାସିଫାଏଡ୍‌ ଆଣ୍ଡ୍‌ କମ୍ପ୍ରେହେନ୍‌ସିଭ୍‌ ବିବିଲିଓଗ୍ରାଫି (୧୯୮୧), ଓଡ଼ିଆ ଭାଷାଚର୍ଚ୍ଚାର ପରମ୍ପରା (୧୯୮୩), ଖଦ୍ୟୋତର ଦ୍ୟୁତି (୧୯୮୪), ନୀଳକଣ୍ଠ ସ୍ମାରକୀ-୩ (୧୯୮୬), ଶୈଳୀ ବିଜ୍ଞାନ (୧୯୮୯) ଆଦି ରହିଛି। ସ୍ବର୍ଗତ ଦାଶଙ୍କ ଅବର୍ତ୍ତମାନରେ ଓଡ଼ିଆ ସାହିତ୍ୟ ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ, ଉପସଭାପତି ଡ. ସଂଗ୍ରାମ ଜେନା, ସଚିବ ପ୍ରବୋଧ କୁମାର ରାଉତ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶେଷକୃତ୍ୟ ବେଳେ ଝିଅ ପ୍ରତିଚୀ ଦାଶ, ପୁଅ ଡ. ତପନ ଦାଶ, ଜ୍ୱାଇଁ ଚକ୍ଷୁରୋଗ ବିଶେଷଜ୍ଞ ନବନୀତ ଗୁପ୍ତ ଉପସ୍ଥିତ ଥିଲେ।