ଝାରସୁଗୁଡ଼ା କୋଭିଡ୍‌ ହସ୍ପିଟାଲରେ ଆକ୍ରାନ୍ତଙ୍କ ମୃତ୍ୟୁ: ଟଙ୍କା ପାଇଁ ହତ୍ୟା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ମୃତକଙ୍କ ପୁଅ

ଝାରସୁଗୁଡ଼ା ଅଫିସ,୧।୫ ଝାରସୁଗୁଡ଼ା କୋଭିଡ୍‌ ହସ୍ପିିଟାଲ୍‌ରେ କନକତୋରା ଗ୍ରାମର ନନ୍ଦଲାଲ୍‌ ବିଶ୍ୱାଳ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁବରଣ କରିଛନ୍ତି। ତାଙ୍କର ସ୍ବାଭାବିକ ମୃତ୍ୟୁ ହୋଇନାହିଁ। ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପୁଅ ପ୍ରଶାନ୍ତ ବିଶ୍ୱାଳ ଅଭିଯୋଗ ଆଣିଛନ୍ତି। ଶନିବାର ଏ ନେଇ ସେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଜିଲାପାଳ, ଏସ୍‌ପିଙ୍କୁ ଟୁଇଟ୍‌ କରି ଜଣାଇଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ସେ ଦର୍ଶାଇଛନ୍ତି, ତାଙ୍କ ବାପା ଗତ ଗୁରୁବାର ରାତି ୯ଟାରେ ଫୋନ୍‌ରେ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଥିଲେ। କିନ୍ତୁ ଶୁକ୍ରବାର ସକାଳୁ ଡାକ୍ତର ଫୋନ୍‌କରି ତୁମ ବାପା ଆଉ ନାହାନ୍ତି ବୋଲି କହିଥିଲେ। ଏଥିରେ ପ୍ରଶାନ୍ତ ଆଶ୍ଚର୍ଯ୍ୟ ହୋଇ ରାତିରେ ଭଲଥିଲେ, ହଠାତ୍‌ ସକାଳୁ କେମିତି ମଲେ ବୋଲି ପ୍ରଶ୍ନ କରିଥିଲେ। ଏହାସହ ବାପାଙ୍କ ନିକଟରେ ଥିବା ୧୦ହଜାର ଟଙ୍କା, ସୁନାଚେନ, ସୁନାମୁଦି ଓ ମୋବାଇଲ୍‌ ନ ଥିଲା ବୋଲି ଦର୍ଶାଇଥିଲେ। ବୁଝାବୁଝି କଲାପରେ ଜଣେ ପଡୋଶୀ ଶଯ୍ୟାରେ ଥିବା ରୋଗୀଙ୍କ ନିକଟରେ ମୋବାଇଲ୍‌ ରହିଥିଲା। ହେଲେ ସୁନାଚେନ, ମୁଦି ଓ ୧୦ହଜାର ଟଙ୍କା ଆଉ ମିଳି ନ ଥିଲା ା ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କୁ ସବୁବେଳେ ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ସେମାନେ ରୋଗୀ ସେବା କରୁନାହାନ୍ତି ବୋଲି ବାପା କହିବାରୁ ସେ ୧୦ ହଜାର ଟଙ୍କା ପଠାଇଥିଲେ। ଏହି ଟଙ୍କା ଓ ସୁନା ଅଳଙ୍କାର ହାତେଇବା ପାଇଁ ତାଙ୍କ ବାପାଙ୍କୁ ହସ୍ପିଟାଲ୍‌ ଭିତରେ ହତ୍ୟା କରାଯାଇଛି। ଏ ନେଇ ହସ୍ପିଟାଲ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି, ହସ୍ପିଟାଲ୍‌ ଭିତରେ ସିସିଟିଭି ଲାଗିଛି। ଯଦି ଏଭଳି ଅଭିଯୋଗ ଆସୁଛି ତା’ହେଲେ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋଭିଡ୍‌ ହସ୍ପିଟାଲ୍‌ ଦାୟିତ୍ୱରେ ଥିବା ମୁଖ୍ୟ ଚିକିତ୍ସକ ଡା. ହୃଷୀକେଶ ନାୟକ ମଧ୍ୟ ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।